ନୂଆଦିଲ୍ଲୀ : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଏବଂ ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାନୁଆରି ୩ରୁ ୭ ପର୍ଯ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ), ଭୁବନେଶ୍ବରଠାରେ ଆୟୋଜିତ ହେବ। ଏହାର ଉଦ୍‌ଘାଟନୀ ସମାରୋହ ମଙ୍ଗଳବାର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ। ଏହି ସମାରୋହକୁ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଏହି ଉତ୍ସବରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର ଏବଂ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ମଧ୍ୟ ଯୋଗଦେବେ।

Advertisment

କଳା ଉତ୍ସବରେ ୧୦ଟି କଳା ଯଥା ଭୋକାଲ୍ ମ୍ୟୁଜିକ୍ - ଶାସ୍ତ୍ରୀୟ, ଭୋକାଲ୍ ମ୍ୟୁଜିକ୍ - ପାରମ୍ପରିକ, ବାଦ୍ୟଯନ୍ତ୍ର ସଂଗୀତ - ପରକ୍ୟୁସିଭ୍, ଇନଷ୍ଟ୍ରୁମେଣ୍ଟାଲ୍ ମ୍ୟୁଜିକ୍ - ମେଲୋଡିକ୍, ଶାସ୍ତ୍ରୀୟନୃତ୍ୟ, ଲୋକନୃତ୍ୟ, ଭିଜୁଆଲ୍ ଆର୍ଟସ (ଦ୍ବିବିମୀୟ), ଭିଜୁଆଲ୍ ଆର୍ଟସ (ତ୍ରିବିମୀୟ), ସ୍ୱଦେଶୀ ଖେଳନା ଓ ଖେଳ ଏବଂ ଡ୍ରାମା (ଏକକ ଅଭିନୟ) ପ୍ରଦର୍ଶିତ ହେବ। ଛାତ୍ରମାନେ ଏହି ସମସ୍ତ ବର୍ଗରେ ସେମାନଙ୍କର କଳା ପ୍ରଦର୍ଶନ କରିବେ। ଏଥିରେ ୩୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିରୁ ୭୧୪ଟି ଏଣ୍ଟ୍ରି ଗ୍ରହଣ କରାଯାଇଛି, ଯେଉଁଥିରେ ୩୫୭ ବାଳିକା, ୩୫୭ ବାଳକ ଓ ୭ ଜଣ ଦିବ୍ୟାଙ୍ଗ ଅଂଶଗ୍ରହଣ କରିବେ। ଉଦ୍‌ଯାପନୀ ଉତ୍ସବ ୭ ତାରିଖରେ ଅନୁଷ୍ଠିତ ହେବ। ସେଥିରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।