ନୂଆଦିଲ୍ଲୀ/ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଆଜି ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ୭ ଜଣ ନେତାଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର। ଏହି ନେତାମାନଙ୍କ ସହ ମିଶି ଧର୍ମେନ୍ଦ୍ର ଉତ୍ତରପ୍ରଦେଶରେ ବିଜେପିର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବେ।
ଜାତୀୟ ରାଜନୀତିରେ ଉତ୍ତରପ୍ରଦେଶ ନିର୍ବାଚନ ବେଶ୍ ଗୁରୁତ୍ବ ବହନ କରୁଛି। ପୁଣି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ନିର୍ବାଚନମଣ୍ଡଳୀ ରହିଛି। ୨୦୧୪ ଲୋକସଭା ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନ ସମୟରେ ନିଜେ ଗୃହ ମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ ସମ୍ଭାଳିଥିଲେ। ଏଥର ଧର୍ମେନ୍ଦ୍ରଙ୍କ ଉପରେ ମୋଦୀ, ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆସ୍ଥା ପ୍ରକଟ କରିବା ଦିଲ୍ଲୀ ଦରବାରରେ ତାଙ୍କ କାଟ୍ତିକୁ ଆହୁରି ବଢ଼ାଇ ଦେଇଛି। ପ୍ରଭାରୀ ଭାବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ପରିଚାଳନା କରିବାରେ ତାଙ୍କର ସଫଳତା ଓ ଅଭିଜ୍ଞତାକୁ ବିଚାରକୁ ନେଇ ଶୀର୍ଷ ନେତୃତ୍ବ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଥିବା କୁହାଯାଉଛି। ପୂର୍ବରୁ ଧର୍ମେନ୍ଦ୍ର ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ବିହାର ଓ ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ନନ୍ଦିଗ୍ରାମ ପାଇଁ ତାଙ୍କୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଥିଲା। ନିକଟରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଚୟନ ବେଳେ ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ପଠାଯାଇଥିଲା। ସଙ୍କଟ ସମୟରେ ଧର୍ମେନ୍ଦ୍ରଙ୍କ ଉପରେ ସବୁବେଳେ କେନ୍ଦ୍ରୀୟ ନେତୃ୍ତ୍ବ ତାଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବାରୁ ଜାତୀୟ ରାଜନୀତିରେ ସେ ଚର୍ଚ୍ଚାରେ ରହିଛନ୍ତି। ବିଜେପି ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ସଭାପତି ଥିବା ସମୟରୁ ଲଗାତର ଭାବେ ଦଳୀୟ ମହଲରେ ନିଜର ପ୍ରଭାବ ଜାରି ରଖିଛନ୍ତି। ୨୦୧୪ ମସିହା ପର ଠାରୁ ଓଡ଼ିଶାରେ ବିଜେପିର ଚେହେରା ପାଲଟିବା ସହ ବିଭିନ୍ନ ସମୟରେ ରାଷ୍ଟ୍ରୀୟ ସମ୍ପାଦକ, ସାଧାରଣ ସମ୍ପାଦକ ଓ ପରେ କେନ୍ଦ୍ର ମନ୍ତ୍ରୀ ଭାବେ ସେ ଜାତୀୟ ଦରବାରରେ ନିଜର ପତିଆରା ଜାହିର କରିଛନ୍ତି।
ବର୍ତ୍ତମାନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଧର୍ମେନ୍ଦ୍ରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହେବ। କାରଣ ସେଠାରେ ବିଜେପିକୁ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ଜୋର୍ଦାର ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପିର ଦ୍ବିତୀୟ ଥର କ୍ଷମତା ଦଖଲକୁ ବ୍ରେକ୍ ଦେବା ପାଇଁ ବିରୋଧୀ କୌଣସି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ଚାଷୀମାନଙ୍କ ଆନ୍ଦୋଳନ ସେଠାରେ ଦଳ ପାଇଁ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ତେଣୁ ଏପରି ସ୍ଥିତିରେ ଧର୍ମେନ୍ଦ୍ର କିପରି ରଣନୀତି ପ୍ରସ୍ତୁତ କରି କ୍ଷମତା ବଜାୟ ରଖିବାରେ ସଫଳ ହେଉଛନ୍ତି, ତାହା ଉପରେ ସାରା ଦେଶର ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dharmendra-pradhan-dna-india.jpg)