ଲକ୍ଷ୍ନୌ: ୟୁପିରେ ଲୋକସଭା ଉପ-ନିର୍ବାଚନରେ ବାଜି ମାରିଛି ବିଜେପି। ରାମପୁର ପରେ ଏବେ ଆଜମଗଡରେ ବିଜୟୀ ହୋଇଛି ବିଜେପି। ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଆଜମଗଡରୁ ବିଜୟୀ ହୋଇଛନ୍ତି। ନିରହୁଆ ସମାଜବାଦୀ ପାର୍ଟି(ସପା) ପ୍ରାର୍ଥୀ ଏବଂ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି। ତେବେ ହାରିବା ପରେ ଧର୍ମେନ୍ଦ୍ର ଯାଦବ ଇଂରାଜୀ ଭୁଲି ଯାଇଥିବା ଦେଖାଯାଇଛି।
ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଭୁଲ ଇଂରାଜୀ କହୁଥିବା ଦେଖାଯାଇଛି। ଭାଇରାଲ ହେଉଥିବା ଭିଡିଓରେ ଧର୍ମେନ୍ଦ୍ର ଷ୍ଟ୍ରଙ୍ଗରୁମକୁ ଯିବାକୁ ଜିଦ୍ ଧରିଥିବାର ନଜର ଆସିଛନ୍ତି। ଯେତେବେଳେ ସେଠାରେ ଡ୍ୟୁଟିରେ ଥିବା ପୁଲିସ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେ ଇଂରାଜୀ କହି ପୁଲିସକୁ ଧମକ ଦେଉଛନ୍ତି। ହେଲେ ଧମକ ଦେବାକୁ ଯାଇ ସେ ଭୁଲ ଇଂରାଜୀ କହିଦେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ 'ହାଓ କ୍ୟାନ ୟୁ ଷ୍ଟପ୍' ବଦଳରେ 'ହାଓ କ୍ୟାନ ୟୁ ରୋକ୍' କହୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।