ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ଚମତ୍କାର ପ୍ରଦର୍ଶନ କରିଛି। ଏନ୍ଡିଏକୁ ୨୦୨ ଆସନ ସହ ସ୍ପଷ୍ଟ ଓ ପ୍ରବଳ ବହୁମତ ମିଳିଛି। ୩୫ ଆସନ ଭିତରେ ମହାମେଣ୍ଟ ସୀମିତ ରହିଛି। ଏହି ସଫଳତା ପଛରେ କେବଳ ନୀତୀଶ କୁମାରଙ୍କ ଯୋଜନା ନାହିଁ, ବରଂ ବିଜେପିର ସୁପରିକଳ୍ପିତ ରଣନୀତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୋଦୀ-ନୀତୀଶ ଯୋଡ଼ି ଏପରି ପରିବେଶ ସୃଷ୍ଟି କଲେ ଯେ, ଏନ୍ଡିଏର ପୁରୁଣା ‘ଚମକ’ ଫେରି ଆସିଲା। ତେବେ ଏହି ଧାରା ମଧ୍ୟରେ ଦ୍ରୁତ ଗତିରେ ଉଭା ହେଉଥିବା ଗୋଟିଏ ନାମ ହେଉଛି ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଏହି ପ୍ରମୁଖ ନିର୍ବାଚନ ରଣନୀତିଜ୍ଞ ତଥା କେନ୍ଦ୍ରମନ୍ତ୍ରୀ ବିହାରରେ ଦଳକୁ ନୂତନ ଶିଖରକୁ ନେଇଛନ୍ତି। ସେପ୍ଟେମ୍ବର ମାସରେ ତାଙ୍କୁ ବିହାର ଦାୟିତ୍ୱରେ ରଖାଯାଇଥିଲା।
ବିହାର ଓ ଧର୍ମେନ୍ଦ୍ର ପ୍ରଧାନ
ବିହାର ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଗଭୀର ଓ ପୁରୁଣା ସମ୍ପର୍କ ରହିଛି। ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଏଠାକାର ରାଜନୀତି ଏବଂ ବିଜେପି ସଂଗଠନ ସହିତ ଗଭୀର ଭାବରେ ଜଡିତ ଥିଲେ। ଏହି ସମୟ ମଧ୍ୟରେ ସେ ଦଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ଏବଂ ସଂଗଠନକୁ ମଜବୁତ କରିବାରେ ସହଯୋଗ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ସର୍ବଦା ଦୃଢ଼ ରହିଛି।
ଉଲ୍ଲେଖଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି, ଯାହାକୁ ଦୀର୍ଘ ଦିନ ଧରି ନୀତୀଶ କୁମାରଙ୍କ ଅନ୍ୟତମ ମୁଖ୍ୟ ଭୋଟ୍ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି କାରଣରୁ ତାଙ୍କର ସାମାଜିକ ପୃଷ୍ଠଭୂମି ବିଜେପି ଓ ଜେଡିୟୁ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିଛି, ଯାହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ।
ନିର୍ବାଚନ ରଣନୀତିକାର ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ରେକର୍ଡ
ପଶ୍ଚିମବଙ୍ଗ ୨୦୨୧
ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେବଳ ନନ୍ଦିଗ୍ରାମ ଆସନର ଦାୟିତ୍ୱ ଦିଆଯାଇଥିଲା, ଯେଉଁଠାରେ ମମତା ବାନାର୍ଜୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଉତ୍ତରାଖଣ୍ଡ ୨୦୧୭ ଓ ୟୁପି ୨୦୨୨
ଉତ୍ତରାଖଣ୍ଡ ଓ ୟୁପିରେ ବିଜେପିର ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶା ୨୦୨୪
ବିଜେଡିକୁ ପରାସ୍ତ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଥିଲା, ଯେଉଁଥିରେ ପ୍ରଧାନଙ୍କ ରଣନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା।
ହରିୟାଣା ୨୦୨୪
ହରିୟାଣାରେ ଶାସନ ବିରୋଧୀ ଲହର ଏବଂ ଅନେକ ଆହ୍ବାନ ସତ୍ତ୍ବେ ବିଜେପିର ପ୍ରତ୍ୟାବର୍ତ୍ତନ ଯୋଜନା ଚମତ୍କାର ଭାବେ କାମ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/15/dharmendra-2025-11-15-01-16-29.jpg)