ନୂଆଦିଲ୍ଲୀ: ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ ସଚିନ୍ ଏବଂ ସୀମା ହାଇଦରଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ବାଗଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ସୀମା ହାଇଦରଙ୍କୁ ନେଇ ବିବୃତି ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ସୀମା ବାଗେଶ୍ୱର ଧାମକୁ ଆସନ୍ତି ତେବେ ତାଙ୍କର ମାର୍ଗଦର୍ଶନ କରିବି।
ଚାରି ପିଲାଙ୍କ ସହ ବେଆଇନ ଭାବେ ଭାରତ ସୀମା ପାର ହୋଇ ଆସିଥିବା ସୀମାଙ୍କୁ ଏବେ ପୁଲିସ ପଚରାଉଚରା କରୁଛି। ସୀମାଙ୍କ ଭାଇଙ୍କର ଆଇଏସଆଇ ସହିତ ଲିଙ୍କ ଥିବା କଥା କୁହାଯାଉଥିବାରୁ ପୁଲିସ ସେ ଦିଗକୁ ନେଇ ମଧ୍ୟ ଯାଞ୍ଚ କରୁଛି। ଏଭଳି ସ୍ଥିତିରେ ଯେତେବେଳେ ବାବା ବାଗେଶ୍ୱରଙ୍କୁ ସୀମା ହାଇଦରଙ୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସୀମା ମୋ ପାଖକୁ ଆସିଲେ ମୁଁ ତାଙ୍କୁ ସାହାଯ୍ୟ କରିବି ଏବଂ ତାଙ୍କର ମାର୍ଗଦର୍ଶନ କରିବି।
ତେବେ ସୀମାଙ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ କଥା ଉଠୁଛି। କେହି କେହି କହୁଛନ୍ତି ସୀମାଙ୍କ କଥା କହିବା ଶୈଳୀରୁ ଲାଗୁଛି ସେ ପାକିସ୍ତାନୀ ନୁହଁନ୍ତି, ଭାରତୀୟ। ତାଙ୍କୁ କେହି ଡ୍ରାମା କୁଇନ୍ କହୁଛନ୍ତି ତ ପୁଣି କିଏ କହୁଛନ୍ତି, ‘ଯିଏ ନିଜ ଦେଶର ହେଲାନି ସେ ଭାରତର କ’ଣ ହେବ?’
ଉଲ୍ଲେଖଯୋଗ୍ୟ, ଜୁଲାଇ ୪ ତାରିଖରେ ପବ୍ଜୀ ପାର୍ଟନର୍ ସଚିନଙ୍କ ସହ ସୀମା ହାଇଦରଙ୍କୁ ଗିରଫ କରା ଯାଇଥିବା ବେଳେ ୬ ତାରିଖରେ ଗ୍ରେଟର ନୋଏଡା କୋର୍ଟ ଉଭୟଙ୍କୁ ମୁକ୍ତ କରିଥିଲେ। ସୀମା ବର୍ତ୍ତମାନ ଭାରତରେ ରହିବାକୁ ଚାହୁଁଛନ୍ତି। ସୀମା ଦାବି କରିଛନ୍ତି ଯେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ପ୍ରତିଦିନ ତୁଳସୀ ପୂଜା କରି ନିଜର ଦିନ ଆରମ୍ଭ କରୁଛନ୍ତି।