‘ଧୋନି ଜଣେ ଚରମ ବାସ୍ତବବାଦୀ, ସବୁବେଳେ ସେ ଏପରି କରିଆସୁଛନ୍ତି’

ନୂଆଦିଲ୍ଲୀ : ଆଇପିଏଲ୍‌ ଭଳି ଏକାଧିକ ମ୍ୟାଚ୍‌ ବିଶିଷ୍ଟ ପ୍ରତିଯୋଗିତାରେ ଦଳଗୁଡ଼ିକ ଅପେକ୍ଷା ଖେଳାଳିଙ୍କ ବିଷୟରେ ଅଧକ ଚର୍ଚ୍ଚା ହେଉଛି। ଦଳ ପ୍ରତି ସମର୍ପିତ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ନିଜ ଦଳର ପ୍ରଦର୍ଶନ ଉପରେ ଆଲୋଚନା ଓ ଯୁକ୍ତି କରିବାକୁ ପଛାନ୍ତି ନାହିଁ। ସମାନ ସ୍ତରର ଉତ୍ସାହ କିମ୍ବା ଅଧିକ ଉଚ୍ଚସ୍ତରର ଭାବନାରେ ଧୋନିଙ୍କ ପ୍ରଶଂସକମାନେ ତାଙ୍କ ବିଷୟରେ ଅଧିକ ଆଲୋଚନା କରୁଛନ୍ତି। ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବା ପରଠୁ ଧୋନିଙ୍କର ଅଧିକ ଧ୍ୟାନ ଆଇପିଏଲ୍‌ ଉପରେ ରହୁଛି। କାରଣ ଆଇପିଏଲ୍‌ ହିଁ ଏକମାତ୍ର ପ୍ରତିଯୋଗିତା ଯେଉଁଥିରେ କି ଧୋନିଙ୍କ ଖେଳ ଦେଖିବାକୁ ମିଳିବ।

ଚଳିତ ଆଇପିଏଲ୍‌ ସଂସ୍କରଣର ଆରମ୍ଭରୁ ଚେନ୍ନାଇ ସୁପରକିଙ୍ଗ୍ସ ଧମାକାଦାର ଶୈଳୀରେ ଅଭିଯାନ ଆରମ୍ଭ କରିଛି। ରାୟୁଡୁ ଏକ ଆକର୍ଷଣୀୟ ପାଳି ଖେଳିଥିଲା ବେଳେ ଜଣେ ଅଧିନାୟକ ଭାବେ ଧୋନିଙ୍କ ଭୂମିକା ବିଷୟରେ ଅଧିକ ଆଲୋଚନା ହେଉଛି। ଧୋନି ଏହି ମ୍ୟାଚ୍‌ରେ ମାତ୍ର ଦୁଇଟି ବଲ୍‌ର ସାମ୍ନା କରିଥିଲେ। ଧୋନିଙ୍କୁ ପଶ୍ଚାତ୍‌ଧାବନ ବେଳର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଏଥିପାଇଁ ଅନେକଥର ସେ ବହୁତ ତଳେ ବ୍ୟାଟିଂ କରିବାକୁ ଆସିଥାନ୍ତି, ହେଲେ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ଜିତିବାର ନିକଟତର ହୋଇଯାଇଥିଲା ବେଳେ ଧୋନି ୭ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ଏଭଳି ଘଟଣା ଅନେକଙ୍କ ପାଇଁ ହଜମ ହେବା କଷ୍ଟକର ଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଚେନ୍ନାଇ ଯେତେବେଳେ ରାଜସ୍ଥାନଠୁ ପରାସ୍ତ ହେଲା, ସେତେବେଳେ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଓ ରାଜସ୍ଥାନର ବିଜୟ ଅପେକ୍ଷା ଧୋନିଙ୍କ ଉପରେ ଅଧିକ ଧ୍ୟାନ ରହିଥିଲା। ‌ତେଣୁ ଏହା ପ୍ରମାଣିତ କରୁଛି ଯେ ଯେତେବେଳେ ଧୋନିଙ୍କ କଥା ଆସୁଛି, ଆମେ ନିଜକୁ ବି ସହାୟତା ଦେଇପାରୁନୁ।

ଚେନ୍ନାଇର ଦ୍ବିତୀୟ ମ୍ୟାଚ୍‌ରେ ୨୧୭ ରନ୍‌ ଜିତିବାକୁ ଆବଶ୍ୟକ ହେଉଥିଲା ବେଳେ ଧୋନି ଅନ୍ୟମାନଙ୍କୁ ବ୍ୟାଟିଂ ପାଇଁ ଛାଡୁଥିଲେ। ଆବଶ୍ୟକୀୟ ରନ୍‌ ହାର ଧିରେଧିରେ ବଢିବାରେ ଲାଗିଥିଲା ବେଳେ ଧୋନିଙ୍କ ଦେଖା ମିଳିନଥିଲା। ସାମ କରନ୍‌, ରୁତୁରାଜ ଗାଏକ୍ବାଡ, କେଦାର ଯାଦବ ସମସ୍ତେ ବ୍ୟାଟିଂ କରିବାକୁ ‌ଆସିଥିଲେ, ହେଲେ ଧୋନି ତାଙ୍କ ସ୍ଥାନରେ ବସିବାକୁ ଉଚିତ୍‌ ମଣିଥିଲେ। ପ୍ରଥମ ମ୍ୟାଚ୍‌ରେ ଅନ୍ୟମାନଙ୍କୁ ନିଜ ଆଗରୁ ବ୍ୟାଟିଂ ଦେବାର ଘଟଣା ଚମତ୍କାର ଫଳ ଦେଇଥିଲା। କିନ୍ତୁ ରାଜସ୍ଥାନ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ଏକ ବିଶାଳ ରନ୍‌କୁ ପିଛା କରିବାକୁ ଯାଉଥିବା ବେଳେ ଧୋନିଙ୍କ ଆଗରୁ ଗାଏକ୍ବାଡ୍‌ଙ୍କୁ ବ୍ୟାଟିଂ ଦିଆଯିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିିଥିଲା।

ସମାଲୋଚକଙ୍କ ମତରେ ଏସବୁକୁ ଦୃଷ୍ଟିରେ ରଖିଲେ, ଧୋନି ଜଣେ ବାସ୍ତବବାଦୀ ଭଳି ମନେ ହେଉଛନ୍ତି ଏବଂ ସବୁବେଳେ ସେ ଏମିତି କରିଥା’ନ୍ତି। ସେ ଏଭଳି ଜଣେ ବ୍ୟକ୍ତି ‌ଯିଏକି ହରଭଜନ ସିଂହଙ୍କ ଭଳି ବୋଲରଙ୍କୁ ଦଳରେ ରଖିବେ ଏବଂ ମ୍ୟାଚ୍‌ ସାରା ତାଙ୍କୁ ବୋଲିଂ ଦେବେନାହିଁ। କାରଣ ‌ତାଙ୍କ ଆକଳନ ଅନୁଯାୟୀ ମ୍ୟାଚ୍‌ ଯେଉଁଭଳି ଧାରାରେ ଗତି କରୁଛି ଓ ପରିସ୍ଥିତି ଯେପରି ହୋଇଛି, ସେଥିରେ ହରଭଜନଙ୍କ ବୋଲିଂ କରିବା ଆବଶ୍ୟକ ପଡ଼େନାହିଁ। ହରଭଜନଙ୍କ ଭଳି ଜଣେ ଖେଳାଳିଙ୍କୁ ସେ ଅବ୍ୟବହୃତ ଭାବେ ରଖି ଖୁସି ମନାଇଥା’ନ୍ତି। କାରଣ ସେ ସବୁବେଳେ କ୍ରିକେଟ ତର୍କକୁ ଜାବୁଡ଼ି ଧରିଥା’ନ୍ତି।

ସମ୍ବନ୍ଧିତ ଖବର