କ୍ରିକେଟ ଅଲ୍ରାଉଣ୍ଡର @IrfanPathanଙ୍କ ଏକ ପୋଷ୍ଟ ବିତର୍କ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆର ଅନ୍ୟତମ ସଫଳ ଅଧିନାୟକ ଧୋନି(ମାହି) ଏଥର ଆଇପିଏଲ୍ରେ ଭଲ ଖେଳୁଥିବାରୁ ଚେନ୍ନାଇ ସୁପର୍ କିଙ୍ଗ୍ସ ତରଫରୁ ସେ ନିଜକୁ ଆଉ ଟିକେ ଉଚ୍ଚକ୍ରମକୁ ଉନ୍ନୀତ କରି ବ୍ୟାଟିଂ କରିବା ସପକ୍ଷରେ ପଠାନ୍ ଯୁକ୍ତି ବାଢ଼ିଛନ୍ତି। ଅଧିକାଂଶ କ୍ରିକେଟପ୍ରେମୀ ଇର୍ଫାନ୍ଙ୍କ ସହ ଏକମତ ହୋଇଛନ୍ତି। ଆମେ ଏତେ ସମୟ ଓ ଅର୍ଥ ଖର୍ଚ୍ଚ କରି ଯୋଉ ଲୋକଟିର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଆସୁଛୁ, ସେ କିନ୍ତୁ ନିଜକୁ ତଳକୁ ତଳ ଖସାଇ ସଭିଁଙ୍କୁ ନିରାଶ କରୁଛନ୍ତି।
ଜଣେ କ୍ଷୁବ୍ଧ ପ୍ରଶଂସକ ଲେଖିଛନ୍ତି, ଓଭର୍ ସଂଖ୍ୟା ମୋଟ୍ରୁ ୨୦; ହେଲେ ଦଳରେ ତମେ ଦେଢ଼ଶହ ଖଣ୍ଡେ ଭଲ ବ୍ୟାଟ୍ସମ୍ୟାନ ରଖିଛ! ଯାହା ହେବ!! ଖାଲି କ’ଣ ଧୋନି, ତମେ ଜାଡ଼େଜାଙ୍କୁ କୋଉ ଭଲ ଅର୍ଡରରେ ବ୍ୟାଟିଂ ଦେଇପାରୁଛ କି? ଧୋନିଙ୍କ ଜଣେ ମୁଗ୍ଧ ପ୍ରଶଂସକ ଲେଖିଛନ୍ତି, ଯାହା ଚାଲିଛି, ଠିକ୍ ଚାଲିଛି। ଯେତେବେଳେ ୧୫ ଓଭର୍ରେ ଦଳ ୯୦/୫ ସ୍ଥିତିରେ ଥିବ, ଜିତିବାକୁ ଆଉ ୫ ଓଭର୍ରେ ୬୦ ଲୋଡ଼ା, ଧୋନି-ଫ୍ଲେମିଂ ଯୋଡ଼ି କ’ଣ ଧୋନିଙ୍କ ଛଡ଼ା ଆଉ କାହାକୁ ପଠାଇବେ? ଜଣେ ଆତୁର ହୋଇ ଇର୍ଫାନ୍ଙ୍କୁ ନିବେଦନ କରିଛନ୍ତି, ଆପଣ ନିଜେ ଧୋନିଭାଇଙ୍କୁ ଫୋନ୍ କରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଟିକେ କହନ୍ତେନି? କିଛି ସମାଲୋଚକ ମଧ୍ୟ ଯାଚ୍ଛାତା ଲେଖିଛନ୍ତି। ସେ ଜାଣିଶୁଣିକି ଶେଷ ୨/୩ ଓଭର୍ରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ବିଫଳ ହେଲେ କହିବାକୁ ବାହାନା ମିଳିଯିବ:- ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଯାଇ ଆଉଟ୍ ହେଲି।