ନୂଆଦିଲ୍ଳୀ: ନୂଆଦିଲ୍ଲୀସ୍ଥିତ ‘ତାଲକୋଟରା ଇନ୍ଡୋର୍ ଷ୍ଟାଡିୟମ୍’ରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ର ୬ଷ୍ଠ ସଂସ୍କରଣରେ ଆଜି ପରୀକ୍ଷାର୍ଥୀମାନଙ୍କ ସହ ଭାବବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଚର୍ଚ୍ଚା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପୁରୀ ଜିଲ୍ଲାର କୋଣାର୍କରେ ପଢୁଥିବା ଛାତ୍ର ତନ୍ମୟ ବିଶ୍ବାଳଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ତନ୍ମୟଙ୍କ ପ୍ରଶ୍ନ ରହିଥିଲା, ‘ପରୀକ୍ଷା ସମୟ ଚାଲୁଥିବା କପି ବା ଠକାମୀକୁ କିପରି ବାଦ୍ ଦିଆଯାଇ ପାରିବ?’
Tanmay Biswal from Puri, Odisha asks about eliminating unfair means in exams.
Listen to what PM @narendramodi ji has to say on success and shortcuts. #ParikshaPeCharcha2023 pic.twitter.com/kNIrxyLjn4
— Dharmendra Pradhan (@dpradhanbjp) January 27, 2023
ଏହାର ଉତ୍ତରରେ ମୋଦୀ କହିଛନ୍ତି, ‘ପରୀକ୍ଷାରେ କପି ନହେବା ପାଇଁ ଜଣେ ବିଦ୍ୟାର୍ଥୀ ଇଚ୍ଛା ପ୍ରକାଶ କରିଛନ୍ତି ଜାଣି ମୁଁ ଖୁସି ହେଉଛି। ବିଶେଷ କରି ଯେଉଁମାନେ ପରିଶ୍ରମୀ ବିଦ୍ୟାର୍ଥୀ ସେମାନେ ନିଶ୍ଚତ ଭାବେ ପରୀକ୍ଷାରେ କପି ରୋକିବା କଥା ଚିନ୍ତା କରିବେ। କାରଣ ସେମାନଙ୍କ ମନରେ ଭାବନା ଆସିବା ସ୍ବାଭାବିକ ଯେ ଆମେ ଏତେ ପରିଶ୍ରମ କରି ଯାହା କରୁଛୁ, ଯିଏ କପି କରୁଛି ସେ କିଛି ନକରି ନିଜ ଗାଡ଼ି ଚଳାଇ ନେଇ ଯାଉଛି। ଏପରିକି କିଛି ଟ୍ୟୁସନ୍ ଶିକ୍ଷକ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାରେ ସାହାଯ୍ୟ କରନ୍ତି, କାରଣ ସେମାନେ ସେହି ବିଦ୍ୟାର୍ଥୀଙ୍କ ମାଆବାପାଙ୍କଠାରୁ ଟଙ୍କା ନେଇଥାନ୍ତି। ଏମିତି କିଛି ଛାତ୍ର ଅଛନ୍ତି , ଯିଏକି କପି କରିବାର ତରିକାରେ ବଡ଼ ଚତୁର ହୋଇଥାନ୍ତି। ମାତ୍ର ସେତିକି ଚତୁରତା ଯଦି ସେ ଶିକ୍ଷା ଗ୍ରହଣ କରିବାରେ ପ୍ରୟୋଗ କରନ୍ତେ ତ ବେଶୀ ଫଳପ୍ରଦ ହୁଅନ୍ତେ। କାରଣ ସମୟ ବଦଳିଛି। ଗୋଟାଏ ପରୀକ୍ଷା ପାସ୍ ହୋଇଗଲେ ପୂରା ଜୀବନ ସରିଯାଏନି। ଆପଣ ପ୍ରତ୍ୟେକ ସ୍ଥାନରେ ପରୀକ୍ଷା ଦେବେ। କେତେ ଜାଗାରେ କପି କରିବେ? ସେଥିପାଇଁ ଯିଏ କପି କରନ୍ତି ସେ ହୁଏତ ଗୋଟାଏ, ଦୁଇଟା ପରୀକ୍ଷାରେ ପାର୍ ହୋଇଯାଆନ୍ତି। ମାତ୍ର ଜୀବନ ପାର୍ କରିପାରିବେ ନାହିଁ। ଯେଉଁ ବିଦ୍ୟାର୍ଥୀ ପରିଶ୍ରମ କରୁଛନ୍ତି ସେମାନଙ୍କୁ ମୁଁ କହିବାକୁ ଚାହେଁ, ତୁମ ପରିଶ୍ରମ ତୁମ ଜୀବନରେ ରଂଗ ଭରିଦବ। ହୋଇପାରେ କିଏ ୨/୪ ମାର୍କ ତୁମଠାରୁ ଅଧିକ ରଖିପାରେ। ମାତ୍ର ଜୀବନ ରାସ୍ତାରେ ସେ କେବେ ବି ତୁମ ପ୍ରତିବନ୍ଧକ ହୋଇ ପାରିବନି। ତୁମ ଭିତରର ଶକ୍ତି ତୁମକୁ ଆଗକୁ ନେବ। ଦୟାକରି ତାକୁ ଫାଇଦା ହେଉଛି ଭାବି ନିଜେ ବି ସେ ରାସ୍ତାରେ ଯିବା କଥା କେବେ ବି ଭାବିନି। ପରୀକ୍ଷା ତ ଯିବ ଆସିବ, ଆମକୁ ଜୀବନ ଜିଇବାର ଅଛି। ମନ ଭରି ଜିଇବାର ଅଛି। ଜିତି ଜିତି ଜୀବନ ଜିଇବାର ଅଛି। ସର୍ଟକଟରେ ଆମକୁ ଯିବାର ନାହିଁ।’
ତନ୍ମୟଙ୍କ ପ୍ରଶ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଉତ୍ତରର ଏକ ଭିଡିଓକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।