ସୋପୋର ଏନକାଉଣ୍ଟର୍‌: ଫଟୋକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଓ ବଲିଉଡ୍‌ ଅଭିନେତ୍ରୀ ଦିଆ ମୀର୍ଜା

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ସୋପୋରରେ ଆଜି ହୋଇଥିବା ଏନ୍‌କାଉଣ୍ଟର ପରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଫଟୋ ଉପରେ ମନ୍ତବ୍ୟ ଓ ପ୍ରତିମନ୍ତବ୍ୟକୁ କେନ୍ଦ୍ର କରି ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଓ ବଲିଉଡ୍‌ ଅଭିନେତ୍ରୀ ଦିଆ ମୀର୍ଜା ମୁହାଁମୁହିଁ ହୋଇଛନ୍ତି। ଜନୈକ ୬୦ ବର୍ଷ ବୟସ୍କ ନାଗରିକଙ୍କର ମୃତ ଦେହ ଉପରେ ଏକ କ୍ରନ୍ଦନରତ ଶିଶୁ ବସିଥିବାର ଫଟୋ ପୋଷ୍ଟ କରି ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଏହାର କ୍ୟାପ୍‌ସନ୍‌ରେ ‘ପୁଲିଜର ଲଭର୍ସ??’ (ପୁଲିଜର୍‌ ପ୍ରେମୀ) ଲେଖିବା ପରେ ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ବିବାଦ।
ଏହି ପୋଷ୍ଟ ଉପରେ ନିଜ ପ୍ରତିକ୍ରିୟାରେ ବଲିଉଡ ଅଭିନେତ୍ରୀ ଦିିଆ ମୀର୍ଜା ଯେତେବେଳେ ଲେଖିଲେ, ‘ଆପଣଙ୍କ ପାଖରେ ସହାନୁଭୂତି (ଇମ୍ପାଥି) ନାମକ କୌଣସି ଜିନିଷ ନାହିଁ କି?’ ସେତେବେଳେ ସୂତ୍ରପାତ ହୋଇଥିଲା ଏହି ବିବାଦର।
ବଲିଉଡ ଅଭିନେତ୍ରୀ ଦିଆଙ୍କୁ ଜବାବ ଦେଇ ବିଜେପି ନେତା ପାତ୍ର ଲେଖିଲେ, ‘ମ୍ୟାଡାମ୍‌… ଇଏ ହେଉଛି ସମୟ ଯେତେବେଳେ ତୁମେ ତୁମର ହୃଦୟର ନିକଟରେ ଏକ ପ୍ଲାକାର୍ଡ ଧରି ରଖିବା ଉଚିତ୍‌ ଯେଉଁଥିରେ ଲେଖାଥିବ କାଶ୍ମୀରରେ ପାକ୍‌ ପ୍ରାୟୋଜିତ ଜିହାଦ୍‌ ପାଇଁ ମୁଁ ଲଜ୍ଜିତ… କିନ୍ତୁ ତୁମେ ସିଲେକ୍ଟିଭ୍‌.. ତୁମେ କଦାପି ଏପରି କରିବ ନାହିଁ ..’’
ଏହାପରେ ଯେତେବେଳେ ଅଭିନେତ୍ରୀ ଦିଆ ଲେଖିଲେ ତୁମେ ମୋର ପ୍ରଶ୍ନର ଉତ୍ତର ଦେଇ ନାହଁ! ସେତେବେଳେ ବିଜେପି ନେତା ପାତ୍ର ଲେଖଲେ, ‘ହଁ ମ୍ୟାଡାମ୍‌ ମୋର ଇମ୍ପାଥି (ସହାନୁଭୂତି) ଅଛି.. ମୋର ସେନା ବାହିନୀ ପାଇଁ .. ପ୍ରତ୍ୟେକ ଭାରତୀୟ ନାଗରିକ ସେମାନଙ୍କ ଧର୍ମ ନିର୍ବିିଶେଷରେ .. ତୁମ ଭଳି ନୁହେଁ, ଯାହାର ସହାନୁଭୂତି ମନୋନୀତ ହୁଏ ଚୟନକରି.. ମନେରଖ ଯେ ମୁଁ ଏକ ସିଲେକ୍ଟିଭ୍‌ ପ୍ଲାକାର୍ଡ ଧାରକ ନୁହେଁ। ମୁଁ ତୁମର ପ୍ରଶଂସକ ଏବଂ ଆଜି ହାତରେ ପାକ୍‌ ପ୍ରାୟୋଜିତ ଜିହାଦକୁ ନିନ୍ଦା କରୁଥିବା ପ୍ଲାକାର୍ଡ ସହିତ ଆପଣଙ୍କୁ ଦେଖିବାକୁ ପସନ୍ଦ କରିବି’।
ଏହାର କାଉଣ୍ଟର ଜବାବରେ ବଲିଉଡ ଅଭିନେତ୍ରୀ ଦିଆ ଲେଖିଲେ, ‘ସହାନୁଭୂତି ଚୟନକରି ପ୍ରଦର୍ଶିତ କରାଯାଏ ନାହିଁ। ମୂଳ କଥା ହେଲା ଏହା ଆମ ପାଖରେ ଅଛି ନା ନାହିଁ। ଏ ଶିଶୁର ଯନ୍ତ୍ରଣା ଓ ଭୟକୁ ଆଉ ଅନ୍ୟ କୌଣସି ଶିଶୁକୁ ସହ୍ୟ କରିବାକୁ ନପଡ଼ୁ। ରାଜନୀତି ବନ୍ଦ କର। ତୁମ ପ୍ରତି ମୋର ସମର୍ଥନ ଅଛି। ହାତରେ ପ୍ଲା’କାର୍ଡ ଥାଉ କି ନଥାଉ..’

ଚଳଚ୍ଚିତ୍ର ନିର୍ଦ୍ଦେଶକ ହାନସାଲ ମେହେଟ୍ଟା ମଧ୍ୟ ଟ୍ଵିଟରରେ ଏହି ବିବାଦରେ ଯୋଗଦେଇ କହିଛନ୍ତି ଯେ ଶାସକ ଦଳର ଏହି ମୁଖପାତ୍ର ଜଣକ ଅପବ୍ୟବହାରକାରୀ ବ୍ୟତୀତ ଅନ୍ୟ କିଛି ନୁହେଁ।

ଉଲ୍ଲେଖଯୋଗ୍ୟ, ବୁଧବାର ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ କାଶ୍ମୀରର ସୋପୋରରେ ୬୦ ବର୍ଷ ବୟସ୍କ ବୃଦ୍ଧ କ୍ରସ ଫାୟାରିଙ୍ଗରେ ପ୍ରାଣ ହରାଇଥିଲେ। ତାଙ୍କୁ ତାଙ୍କର ତିନି ବର୍ଷର ନାତି ସାମ୍ନାରେ ହତ୍ୟା କରାଯାଇଥିଲା। ପରେ, ଶିଶୁ ଜଣଙ୍କ ଜେଜେର ମୃତଦେହ ଉପରେ ବସି କାନ୍ଦୁଥିବା ଫଟୋ ଇଣ୍ଟରନେଟରେ ଛାଇ ଯାଇଥିଲା।

ସମ୍ବନ୍ଧିତ ଖବର