ଜାପାନ୍‌ କ୍ରୁଜ୍‌ରେ ଆଉ ୪ ଭାରତୀୟ ଆକ୍ରାନ୍ତ, ଭାରତୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା

ଦକ୍ଷିଣ କୋରିଆରେ ୫ ମୃତ, ହାଇ ଆଲର୍ଟ ଜାରି

ଟୋକିଓ: ଜାପାନ ତଟରେ ଲାଗିଥିବା କ୍ରୁଜ୍‌ ଜାହାଜ ଡାଏମଣ୍ଡ ପ୍ରିନ୍ସେସ୍‌ରେ ଥିବା ଆଉ ୪ ଜଣ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ଭାରତୀୟ ଦୂତାବାସ ସୂତ୍ରରୁ ଜଣାପଡ଼ିଛି। ଏହି ୪ ନୂଆ ଆକ୍ରାନ୍ତଙ୍କ ସହ ଜାହାଜରେ ମୋଟ କରୋନା ଆକ୍ରାନ୍ତ ଭାରତୀୟଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଏବେ ଜାହାଜରୁ କେବଳ ଆକ୍ରାନ୍ତ ହୋଇନଥିବା ଲୋକଙ୍କୁ ଖାଲି କରାଯାଉଛି ଏବଂ ଆକ୍ରାନ୍ତମାନଙ୍କୁ ଜାହାଜରେ ହିଁ ସ୍ବତନ୍ତ୍ର ଚିକିତ୍ସାରେ ରଖାଯାଇଛି। ଜାହାଜରୁ ବିଭିନ୍ନ ଦେଶର ନାଗରିକଙ୍କୁ ପର୍ଯ୍ୟାୟକ୍ରମେ ଖାଲି କରାଯାଉଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ୧ ହଜାର ନାଗରିକ ଜାହାଜରେ ଥିବା ଜଣାପଡ଼ିଛି। ୧୨ ଜଣ ଭାରତୀୟ କରୋନା ଆକ୍ରାନ୍ତଙ୍କୁ ଏବେ ଯେଉଁ ଚିକିତ୍ସା ଉପଲବ୍ଧ ହେଉଛି, ସେଥିରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ଦକ୍ଷିଣ କୋରିଆରେ ୫ ମୃତ, ହାଇ ଆଲର୍ଟ ଜାରି
ସିଓଲ: ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ଭୟଙ୍କର ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଏବଂ ଦେଶରେହାଇ ଆଲର୍ଟ ଜାରି ହୋଇଛି। ନାଗରିକଙ୍କ ଚଳପ୍ରଚଳ ଉପରେ ମଧ୍ୟ ଅନେକ କଟକଣା ଜାରି ହୋଇଛି । ଆଜି ୩ ଜଣ ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ସର୍ବଧିକ ସତର୍କତା ଅବଲମ୍ବନ କରିବାକୁ ସରକାର ଘୋଷଣା କରିଛନ୍ତି। ଚୀନ୍‌ ପରେ ଏବେ କରୋନାର ସର୍ବାଧିକ ପ୍ରକୋପ ଦକ୍ଷିଣ କୋରିଆରେ ଦେଖିବାକୁ ମିଳିଛି ଏବଂ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ଯୁଦ୍ଧକାଳନୀ ଭିତ୍ତିରେ ପ୍ରତିକାର ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୦ରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର