ଇସଲାମାବାଦ: ଅପରେସନ୍‌ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି। କିନ୍ତୁ ଭାରତ ପାକିସ୍ତାନର ପରମାଣୁ ବୋମା ଗଚ୍ଛିତ ଥିବା ସ୍ଥାନ ଉପରେ ବୋମାମାଡ଼ କରି ଏହାକୁ କ୍ଷତି ପହଞ୍ଚାଇଛି ବୋଲି ସୋସିଆଲ ମିଡିଆରେ ଦାବି ହେଉଛି। ଦାବି ଅନୁସାରେ, ଭାରତର ବୋମାମାଡ଼ ପରେ ଆମେରିକାର ପରମାଣୁ ସୁରକ୍ଷା ସହାୟତା ବିମାନ ବି୩୫୦ ଏଏମ୍‌ଏସ୍‌ ମୁତୟନ କରାଯାଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସାମରିକ ଅଧିକାରୀମାନେ ଏଭଳି ଦାବିକୁ ଖଣ୍ଡନ କରିଥିଲେ ହେଁ ଚର୍ଚ୍ଚା ଥମିନାହିଁ। 

Advertisment

ମେ ୧୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ପାକିସ୍ତାନୀ ବିମାନଘାଟିଗୁଡ଼ିକ ମଧ୍ୟରୁ ଅଧିକାଂଶ ଭାରତୀୟ ଆକ୍ରମଣର ଶିକାର ହୋଇଛି। ପାକିସ୍ତାନର ସୋରକୋଟରେ ଥିବା ରଫିକି ଏୟାର୍‌ବେସ୍, ରାଵଲପିଣ୍ଡିର ନୁର୍ ଖାନ୍ ଏୟାର୍‌ବେସ୍, ଚକବାଲର ମୁରିଦ, ରହିମ୍ ୟାର୍ ଖାନ୍, ସୁକ୍କୁର ଓ ଚୁନିଆନ୍ ଏବଂ ପାସରୁର ଓ ସିଆଲକୋଟରେ ଥିବା ରାଡାର୍ ସାଇଟ୍‌କୁ ଭାରତ ଟାର୍ଗେଟ୍ କରିଥିଲା। ଏହା ବ୍ୟତୀତ ସାଟେଲାଇଟ୍ ଫଟୋରୁ ଜଣାପଡିଛି ଯେ ଭାରତ କରାଚୀରେ ଥିବା ମଲିର କ୍ୟାଣ୍ଟନମେଣ୍ଟ ଉପରେ ମଧ୍ୟ ଆକ୍ରମଣ କରିଛି। ଅର୍ଥାତ୍ ଭାରତୀୟ ବାୟୁସେନା ଇସଲାମାବାଦ, ରାୱଲପିଣ୍ଡି, ଲାହୋର, ସିଆଲକୋଟ, ସରଗୋଧା ଓ କରାଚୀ ସମେତ ପାକିସ୍ତାନର ପ୍ରତ୍ୟେକ ପ୍ରମୁଖ ସହରରେ ଥିବା ଟାର୍ଗେଟ୍ ଉପରେ ବୋମାମାଡ଼ କରିଛି।

ଭାରତ ଏଭଳି ଦାବିକୁ ଖଣ୍ଡନ କରିବା ପରେ ମଧ୍ୟ ସୋସିଆଲ ମିଡିଆରେ ଅନେକ ଦାବି କରୁଛନ୍ତି ଯେ, ଭାରତୀୟ ବାୟୁସେନା ପାକିସ୍ତାନର କିରାନା ହିଲ୍ସରେ ଥିବା ପରମାଣୁ ଭଣ୍ଡାରକୁ ଟାର୍ଗେଟ୍ କରିଥିଲା। ସରଗୋଧାରେ ଥିବା ମୁଶଫ୍ ଏୟାରବେସ୍ କ୍ଷତିଗ୍ରସ୍ତ ହୋଇଥିବା ସାଟେଲାଇଟ୍ ଚିତ୍ରରେ ଦର୍ଶାଯିବା ପରେ କିରାନା ପାହାଡ଼ ତଳେ ଭୂତଳ ଆଣବିକ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ହୋଇଥିବା ଦାବି ସାମ୍ନାକୁ ଆସିଛି। ଫ୍ଲାଇଟ୍ ଟ୍ରାକିଙ୍ଗ୍ ଡାଟା ଜରିଆରେ ଦାବି କରାଯାଇଛି ଯେ ଆମେରିକାର ଶକ୍ତି ବିଭାଗର ପରମାଣୁ ଜରୁରିକାଳୀନ ସହାୟତା ବିମାନ (ବି୩୫୦ ଏଏମ୍ଏସ୍) ପାକିସ୍ତାନରେ ଅବତରଣ କରିଛି। ଏହି ବିମାନ ପାକିସ୍ତାନ ଉପରେ ଉଡ଼ାଣ ଭରିଥିବା ଖବର ପରେ ଭାରତର ଆକ୍ରମଣ ପରେ ତେଜସ୍କ୍ରିୟ ବିକିରଣ ହୋଇଥାଇପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ଏହାବ୍ୟତୀତ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ କିଛି ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ତା’ର ପରମାଣୁ କମାଣ୍ଡ ଉପରେ ଆକ୍ରମଣକୁ ନେଇ ଚିନ୍ତିତ।

ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ଜଣେ ପୂର୍ବତନ ଆମେରିକୀୟ ସାମରିକ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି, ପାକିସ୍ତାନର ସବୁଠାରୁ ବଡ଼ ଭୟ ହେଉଛି ତା’ର ଆଣବିକ କେନ୍ଦ୍ର ଉପରେ ସମ୍ଭାବ୍ୟ ଆକ୍ରମଣ। ଭାରତର ଏୟାର୍ ମାର୍ଶାଲ ଏକେ ଭାରତୀ ଏହି ଦାବିକୁ ଖଣ୍ଡନ କରିଛନ୍ତି। ତଥାପି ଆମେରିକାର ଆଣବିକ ସୁରକ୍ଷା ବିମାନର ଉଡ଼ାଣ ଏକ ରହସ୍ୟ ହୋଇ ରହିଛି। କିଛି ପ୍ରମୁଖ ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ (ଓଏସ୍ଆଇଏନ୍‌ଟି) ବ୍ଲଗର୍ କହିଛନ୍ତି ଯେ ୨୦୧୦ରେ ଏହି ବିମାନକୁ ପାକିସ୍ତାନ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ପାକିସ୍ତାନ ବି-୩୫୦ ବିମାନର ଏକ ଭାରିଏଣ୍ଟ ଚଳାଉଛି।