ୱାସିଂଟନ: ବିଶ୍ୱର ୮୦ ପ୍ରତିଶତ ସମସ୍ୟାର ମୂଳ ହେଉଛି ବୃଦ୍ଧମାନେ କ୍ଷମତାରେ ରହିବା। ସେମାନେ ପିରାମିଡ୍ ନିର୍ମାଣ କରନ୍ତି ଏବଂ ସବୁକିଛି ଉପରେ ସେମାନଙ୍କର ନାମ ରଖନ୍ତି ବୋଲି ୬୪ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର ଲଣ୍ଡନରେ ବ୍ରିଟିସ ଐତିହାସିକ ଡେଭିଡ୍ ଓଲୁସୋଗାଙ୍କୁ କହିଛନ୍ତି। ୱାସିଂଟନ ଡିସିରେ ନ୍ୟାସନାଲ ଗାର୍ଡ ସୈନ୍ୟ ନିୟୋଜନ ପାଇଁ ଟ୍ରମ୍ପ ତାଙ୍କ ପଦକ୍ଷେପକୁ ସମର୍ଥନ କରିବାର ଏକ ମାସ ପରେ ଓବାମାଙ୍କର ଏଭଳି ମନ୍ତବ୍ୟ ଆସିଛି। ଓବାମାଙ୍କର ଏହି ମନ୍ତବ୍ୟ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି। ଟ୍ରମ୍ପ କହିଥିଲେ ଯେ, ଦେଶର ରାଜଧାନୀରେ ହିଂସାତ୍ମକ ଅପରାଧ ବୃଦ୍ଧିକୁ ରୋକିବା ପାଇଁ ଅସାଧାରଣ ପଦକ୍ଷେପ ଆବଶ୍ୟକ। ଲୋକେ ଯାହା କହୁଛନ୍ତି ସେହି ଅନୁଯାୟୀ ମୁଁ ଜଣେ ଏକଚ୍ଛତ୍ରବାଦୀ ଶାସକ ନୁହେଁ। ମୁଁ ଜଣେ ସାଧାରଣ ଜ୍ଞାନ ଥିବା ଚତୁର ବ୍ୟକ୍ତି। ଚଳିତ ବର୍ଷ ଜାନୁଆରି ୨୦ରେ ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିଥିବା ଟ୍ରମ୍ପଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଲକ୍ଷ୍ୟ କରି ଦିଆଯାଇଥିଲା ଯେଉଁମାନେ ତାଙ୍କୁ ଏକଚ୍ଛତ୍ରବାଦୀ ଶାସକ ପରି କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ।

Advertisment

୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିବା ଓବାମା ୨୦୧୯ ମସିହାରେ ବୃଦ୍ଧ ନେତାମାନଙ୍କ ବିଷୟରେ କହିଥିଲେ ‌ଯେ ସେମାନେ ସାଧାରଣତଃ ରାସ୍ତାରୁ ହଟନ୍ତି ନାହିଁ। ରାଜନୈତିକ ନେତାମାନେ ମନେ ରଖିବା ଜରୁରୀ ଯେ ଆପଣ ଏକ କାମ କରିବାକୁ ସେଠାରେ ଅଛନ୍ତି। କିନ୍ତୁ ଆପଣ ସାରା ଜୀବନ ସେଠାରେ ନାହାନ୍ତି, ଆପଣ ନିଜର କ୍ଷମତା ବା ଗୁରୁତ୍ୱ ବଢ଼ାଇବା ପାଇଁ ସେଠାରେ ନାହାନ୍ତି ବୋଲି ଓବାମା କହିଛନ୍ତି। ଗର୍ଭବତୀ ମହିଳାଙ୍କ ପାରାସିଟାମଲ ସେବନ ସହ ପିଲାଙ୍କ ମାନସିକ ରୋଗ ‘ଅଟିଜିମ୍‌’ର ସମ୍ପର୍କ ଅଛି ବୋଲି ଟ୍ରମ୍ପଙ୍କ ମତକୁ ସମାଲୋଚନା କରି ଓବାମା ଏହାକୁ ‘ସତ୍ୟ ବିରୁଦ୍ଧରେ ହିଂସା’ ବୋଲି କହିଛନ୍ତି। ଏହି ଦାବିର କୌଣସି ଡାକ୍ତରୀ ବା ବୈଜ୍ଞାନିକ ପ୍ରମାଣ ନାହିଁ। ଏଭଳି ମନ୍ତବ୍ୟ ଜନସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ, ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତି ପହଞ୍ଚାଇପାରେ, ଯେଉଁ ପିଲାମାନଙ୍କର ଅଟିଜିମ୍ ସମସ୍ୟା ଅଛି ତାଙ୍କ ପିତାମାତାଙ୍କ ପାଇଁ ଚିନ୍ତା ସୃଷ୍ଟି କରିପାରେ। ପ୍ରଗତିଶୀଳ ଦୃଷ୍ଟିକୋଣ ଥିବା ବ୍ୟକ୍ତିମାନେ ଗଣତନ୍ତ୍ର ମାଧ୍ୟମରେ ପରିବର୍ତ୍ତନ ଚାହୁଥିବାବେଳେ ଟ୍ରମ୍ପଙ୍କ ସମେତ ଅନ୍ୟମାନେ ଏକ ପୁରୁଣା ଓ ରକ୍ଷଣଶୀଳ ବିଶ୍ୱ ଦୃଷ୍ଟିକୋଣକୁ ଫେରିବାକୁ ଚାହୁଛନ୍ତି ବୋଲି ଓବାମା କହିଛନ୍ତି।