ନୂଆଦିଲ୍ଲୀ: ଗତକାଲି ଲୋକସଭାରେ କଂଗ୍ରେସକୁ ସିଧାସଳଖ ଭାବରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କରୋନା ସଂକ୍ରମଣ ପାଇଁ କଂଗ୍ରେସ ଏବଂ ଆପ ଦାୟୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ମୋଦୀଙ୍କ ଏଭଳି ସମାଲୋଚନା ପରେ ଏହାର ଜବାବ ରଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ, କରୋନା ସମୟରେ କଂଗ୍ରେସ ସେହିମାନଙ୍କୁ ସାହାଯ୍ୟ କରିଥିଲା ଯେଉଁ ଲୋକମାନଙ୍କୁ ମୋଦୀଜୀ ଅଣଦେଖା କରିଥିଲେ। ଘରକୁ ଫେରିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନଥିଲା। ସେମାନେ ପାଦରେ ଚାଲି ଚାଲି ଫେରିବାକୁ ବାଧ୍ୟ ହୋଇଥିଲେ। କେହି ସେମାନଙ୍କୁ ସାହାଯ୍ୟ କରନ୍ତୁ ନାହିଁ ବୋଲି ମୋଦୀଜୀ ଚାହୁଁଥିଲେ କି? କଂଗ୍ରେସ କେବଳ ଲୋକଙ୍କୁ ସାହାଯ୍ୟ କରିଥିଲା, ହେଲେ ବିଜେପି ନିଜ ସ୍ବାର୍ଥ ପାଇଁ ସଂକ୍ରମଣ ବଢ଼ାଇଛି। ଏପ୍ରିଲ ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ବଡ଼ ବଡ଼ ରାଲି ଓ ଜନସଭା କରିଥିଲା। ସେଥିରେ କ’ଣ ସଂକ୍ରମଣ ବଢ଼ିନାହିଁ କି? ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।
ତେବେ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି କହିଥିଲେ ଯେ, କରୋନା ଭୂତାଣୁ ହେଉଛି ଏକ ବିଶ୍ବବ୍ୟାପୀ ମହାମାରୀ। କିନ୍ତୁ କେତେକ ରାଜନୈତିକ ଦଳ ଏହାକୁ ନିଜ ଲାଭ ପାଇଁ ବ୍ୟବହାର କରିଥିଲେ। କରୋନା ମହାମାରୀ ସମୟରେ କଂଗ୍ରେସ ନିଜର ସବୁ ସୀମା ଅତିକ୍ରମ କରିଥିଲା। କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପାଇଁ ଆଜି ଭାରତର ଏଭଳି ଅବସ୍ଥା ହୋଇଛି। ପ୍ରଥମ ଲହର ସମୟରେ, ଯେତେବେଳେ ଲୋକମାନେ ଲକଡାଉନ୍ ଅନୁସରଣ କରୁଥିଲେ ଏବଂ ନିର୍ଦ୍ଦେଶନାମା ଅନୁଯାୟୀ ଲୋକମାନେ ଯେଉଁଠାରେ ଅଛନ୍ତି ସେଠାରେ ରହୁଥିଲେ, ସେତେବେଳେ କଂଗ୍ରେସ ମୁମ୍ବାଇ ଷ୍ଟେସନରେ ଠିଆ ହୋଇ ନିରୀହ ଲୋକଙ୍କୁ ଭୟଭୀତ କରୁଥିଲା। ପ୍ରଥମ ଲହର ଯେତେବେଳେ ଲୋକଙ୍କୁ କୁହାଯାଇଥିଲା ଯେ ଯେଉଁଠାରେ ଅଛ ସେଠାରେ ହିଁ ରୁହ ସେତେବେଳେ କଂଗ୍ରେସ ପ୍ରବାସୀମାନଙ୍କୁ ମୁମ୍ବାଇ ଛାଡିବାକୁ ପ୍ରବର୍ତ୍ତାଇଥିଲା। ଲୋକଙ୍କ ଆଖିରେ ମହାନ ହେବା ପାଇଁ କଂଗ୍ରେସ ମୁମ୍ବାଇରୁ ୟୁପି ଏବଂ ବିହାରକୁ ଯିବାକୁ ମାଗଣା ଟିକେଟ ମଧ୍ୟ ଯୋଗାଇଥିଲା। ଏହା ପାଇଁ ସଂକ୍ରମଣ ଧିରେ ଧିରେ ବଢ଼ିଚାଲିଲା।