ଜବାହିରିକୁ ମାରିବା ପାଇଁ ଆମେରିକା ଗୁପ୍ତ ଅସ୍ତ୍ର ବ୍ୟବହାର କରିଥିଲା କି?

ଗୁପ୍ତ ଅସ୍ତ୍ର ହେଲ୍‌ଫାୟାର୍ ଆର୍‌୯ଏକ୍ସ କ’ଣ?

ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ମୁଖ୍ୟ ଆୟମାନ ଅଳ୍‌-ଜୱାହିରିକୁ ବଧ କରିବା ପାଇଁ ଆମେରିକା କିଭଳି ଅସ୍ତ୍ର ବ୍ୟବହାର କରିଥିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ ଜୱାହିରିର କାବୁଲ-ସ୍ଥିତ ଘରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। କିନ୍ତୁ ଘରର ଛବିରୁ କୌଣସି ବିସ୍ଫୋରଣର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଆମେରିକା ପକ୍ଷରୁ କୁହାଯାଇଛି ଜୱାହିରି ଛଡ଼ା ଆଉ କାହାରି ତିଳେମାତ୍ର କ୍ଷତି ହୋଇ ନାହିଁ। ଏହା କେବଳ ହେଲ୍‌ଫାୟାର୍ ଆର୍‌୯ଏକ୍ସ ଦ୍ବାରା ସମ୍ଭବ ହୋଇପାରେ।

ଗୁପ୍ତ ଅସ୍ତ୍ର ହେଲ୍‌ଫାୟାର୍ ଆର୍‌୯ଏକ୍ସ କ’ଣ?
ଏଜିଏମ୍-୧୧୪ ହେଲ୍‌ଫାୟାର୍ କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରୁ ଭୂମିକୁ କ୍ଷେପଣୀୟ ଲେଜର୍-ଗାଇଡେଡ୍ ସବ୍‌ସୋନିକ୍ (ଶବ୍ଦଠାରୁ କମ୍ ବେଗରେ ଗତି କରୁଥିବା) କ୍ଷେପଣାସ୍ତ୍ର ଯାହାର ତୋପ-ବିଧ୍ବଂସୀ କ୍ଷମତା ରହିଛି। ସୂକ୍ଷ୍ମ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏଗୁଡ଼ିକ ବ୍ୟବହାର କରାଯାଏ। ଆମେରିକା ପିନ୍‌ପଏଣ୍ଟ ଏୟାର୍‌ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ ନେତାକୁ ବଧ କରିବା ପାଇଁ ଏହି ଗୁପ୍ତ ଅସ୍ତ୍ରର ବିକାଶ କରିଛି। ଏଭଳି ଅସ୍ତ୍ର ଦ୍ବାରା କେବଳ ନିର୍ଦ୍ଦିଷ୍ଟ ଶତ୍ରୁ ନିପାତ ହୋଇଥାନ୍ତି, କୌଣସି ବିସ୍ଫୋରଣ ଘଟେ ନାହିଁ, ପରିବେଶର କ୍ଷତି ହୁଏ ନାହିଁ କିମ୍ବ‌ା ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟେ ନାହିଁ। ଆର୍‌୯ଏକ୍ସକୁ ଏହା ସହ ପରିଚିତ ସ୍ବଳ୍ପ ସଂଖ୍ୟକ ଲୋକଙ୍କ କଥିତ ଭାଷାରେ କୁହାଯାଏ ‘ଫ୍ଲାଇଂ ଗିଂସୁ’ (ଉଡ଼ନ୍ତା ଛୁରା)। ଏହି ଛୁରା ଘରର କାନ୍ଥ ବା ଛାତ ବା କାର୍‌ର ଛାତ କଣା କରି ଭିତରେ ପଶି ନିର୍ଦ୍ଦିଷ୍ଟ ଶତ୍ରୁକୁ ବଧ କରିପାରେ। ଏହାକୁ ଗିଂସୁ ବୋଲି କହିବାର ତାତ୍ପର୍ଯ୍ୟ ହେଉଛି- ୧୯୭୦ ଦଶକର ଶେଷାର୍ଦ୍ଧ ଓ ୧୯୮୦ ଦଶକର ପ୍ରଥମାର୍ଦ୍ଧରେ ଏହି ନାମରେ ଏକ ଛୁରାର ବିଜ୍ଞାପନ ଦିଆ ହେଉଥିଲା ଯାହା ଏକାଧାରରେ ଟମାଟୋ ବି କାଟିପାରେ ଏବଂ ଗଛର ଡାଳକୁ ବି କାଟିପାରେ।

ହେଲ୍‌ଫାୟାର୍ କ୍ଷେପଣାସ୍ତ୍ର ଏହାର ୱାର୍‌ହେଡ୍‌ (ସମ୍ମୁଖଭାଗ), ଗାଇଡାନ୍ସ ସିଷ୍ଟମ୍ ଓ ଆକୃତିଗତ ବିବିଧତାକୁ ନେଇ ଅନେକ ପ୍ରକାରର ଅଛି। ଏହାର ସଦ୍ୟତମ ସଂସ୍କରଣ ହେଉଛି ହେଲ୍‌ଫାୟାର୍‌ ଆର୍‌୯ଏକ୍ସ, ଯେଉଁଥିରୁ ଏକ ଶକ୍ତ ବ୍ଲେଡ୍‌ର ଖଣ୍ଡା ବାହାରି ନିର୍ଦ୍ଦିଷ୍ଟ ଶତ୍ରୁକୁ ବଧ କରେ ଅଥଚ ପାରିପାର୍ଶ୍ବିକର କିଛି କ୍ଷତି କରେ ନାହିଁ। ଏହା ସ୍ବତନ୍ତ୍ର ଭାବେ ଟାର୍ଗେଟେଡ୍‌ କିଲିଂ ପାଇଁ ଡିଜାଇନ୍ କରାହୋଇଛି। ଇରାନ ସେନାମୁଖ୍ୟ କାସେମ ସୋଲେମାନିଙ୍କୁ ହତ୍ୟା କରିବା ପାଇଁ ଆମେରିକା ଯେଉଁ ହେଲ୍‌ଫାୟାର୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା, ଏହା ତା’ର ଏକ ଉନ୍ନତ ସଂସ୍କରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର