ଦିଦିଙ୍କ ଦମ୍‌: ଜାତୀୟସ୍ତରରେ ବିରୋଧୀ ଦଳର ନେତୃତ୍ବ ନେଇପାରନ୍ତି

ଟିଏମ୍‌ସି ବିଜୟର ପ୍ରମୁଖ କାରଣ

ନୂଆଦିଲ୍ଲୀ: ପଶ୍ଚିମବଂଗରେ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି)ର ହ୍ୟାଟ୍ରିକ୍‌ ବିଜୟ ସହ ଦଳ ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟରେ ବିଜେପିକୁ ଅସଲ ଖେଳ ଦେଖାଇଛନ୍ତି। ଦିଦିଙ୍କ ଦମ୍‌ ଆଗରେ ବିଜେପିର ଯୋଜନା ଫେଲ ମାରିଛି। ଏଥିରୁ ପ୍ରମାଣିତ ହୋଇଛି ଯେ ପଶ୍ଚିମବଂଗରେ ଯିଏ ଥରେ କ୍ଷମତାକୁ ଆସେ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଛାଇ ଯାଏ। ୧୯୫୦ରୁ ଲଗାତାର ୧୭ ବର୍ଷ ପର୍ଯ୍ୟନ୍ତ କ୍ଷମତା କଂଗ୍ରେସ ହାତରେ ରହିଥିଲା। ୧୯୭୭ରେ ବାମଦଳଙ୍କ ହାତକୁ କ୍ଷମତା ଆସିବା ପରେ ଲଗାତାର ୭ଟି ବିଧାନସଭା ନିର୍ବାଚନରେ ବାମଦଳଙ୍କର ହିଁ ବିଜୟ ହେଲା। ବାମଦଳମାନେ ସିପିଏମ୍‌ ନେତୃତ୍ବରେ ଦୀର୍ଘ ୩୪ ବର୍ଷ ଧରି ପଶ୍ଚିମବଂଗରେ ଶାସନ କଲେ। ୨୦୧୧ରେ ବାମପନ୍ଥୀଙ୍କ ଶାସନର ପରିସମାପ୍ତି ସହ ମମତାଙ୍କ ଟିଏମ୍‌ସି କ୍ଷମତା ଦଖଲ କଲା ଏବଂ ଚଳିତ ନିର୍ବାଚନରେ ଏହା ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି।

ପଶ୍ଚିମବଂଗ ନିର୍ବାଚନରେ ବିଜେପି ମମତା ସରକାରକୁ ସଂଖ୍ୟାଲଘୁ ତୁଷ୍ଟୀକରଣ, ଅନୁପ୍ରବେଶ ପ୍ରସଙ୍ଗ, ଦୁର୍ନୀତି ଆଦି ମାମଲାରେ ଘେରିବାକୁ ଜୋର୍‌ଦାର ପ୍ରୟାସ କରିଥିଲା। ତେବେ ଏହାର ଜବାବରେ ମମତା ବଙ୍ଗଳାର ଗୌରବ ଏବଂ ସଂସ୍କୃତି ପ୍ରସଙ୍ଗ ଉଠାଇ ବିଜେପିର ପ୍ରୟାସକୁ ପଣ୍ଡ କରିଦେଛନ୍ତି। ମମତା ତାଙ୍କ ପ୍ରଚାର ଅଭିଯାନରେ ବିଜେପିକୁ ବାହାର ଲୋକଙ୍କ ଦଳ ବୋଲି ଯେଭଳି ପ୍ରଭାବଶାଳୀ ଢ଼ଙ୍ଗରେ ପ୍ରଚାର କରିଥିଲେ ତାହା କାମ ଦେଇଛି ଏବଂ ବିଜେପି ୧୦୦ରୁ କମ୍‌ ଆସନରେ ସୀମିତ ରହିଛି। ଏଭଳି ସ୍ଥିତିରେ ମମତା ଏବେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦଳର ନେତୃତ୍ବ ନେଇପାରନ୍ତି। ପଶ୍ଚିମବଂଗରେ ଉତ୍ତେଜନାପୂର୍ଣ୍ଣ ପ୍ରଚାର ବାତାବରଣ ଭିତରେ ମୋଦୀ-ଶାହ ଯୋଡ଼ିକୁ ରୋକିବାରେ ସକ୍ଷମ ହୋଇଥିବାରୁ ମମତା ଏବେ ଜାତୀୟସ୍ତରରେ ବି ନେତୃତ୍ବ ନିଅନ୍ତୁ ବୋଲି ଅନେକ ନେତା ପ୍ରସ୍ତାବ ଦେଇଛନ୍ତି।

ଟିଏମ୍‌ସି ବିଜୟର ପ୍ରମୁଖ କାରଣ
କୋଲକାତା: ପଶ୍ଚିମବଂଗରେ ଟିଏମ୍‌ସିକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ସବୁ ଶକ୍ତି ଖଟାଇ ବିଫଳ ହୋଇଛି। ଟିଏମ୍‌ସି ସୁପ୍ରିମୋଙ୍କ ସୁଚିନ୍ତିତ ରଣନୀତି ଏବଂ ବଙ୍ଗଳାର ଗୌରବ ସ୍ଲୋଗାନ୍‌ରେ ବିଜେପିର ସବୁ କୌଶଳ ଫେଲ୍‌ ମାରିଛି। ପଶ୍ଚିମବଂଗରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିବା ଟିଏମ୍‌ସି ମମତାଙ୍କ ଲଢ଼ୁଆ ଛବି, ବଙ୍ଗାଳୀ ଅସ୍ମିତା, ମହିଳା ଏବଂ ସଂଖ୍ୟାଲଘୁଙ୍କ ସମର୍ଥନ ପାଇଁ ଏଭଳି ସଫଳତା ପାଇଥିବା କୁହାଯାଉଛି।

ପଶ୍ଚିମବଂଗରେ ହିନ୍ଦୁ ଭୋଟ୍‌ ଧ୍ରୁବୀକରଣ ପାଇଁ ବିଜେପିର ଯୋଜନା ବିଫଳ ହୋଇଥିବା ବେଳେ ସଂଖ୍ୟାଲଘୁଙ୍କ ଭୋଟ୍‌ ଧ୍ରୃବୀକରଣରେ ମମତାଙ୍କୁ ସଫଳତା ମିଳିଥିବା କୁହାଯାଉଛି। ମୁସ୍‌ଲିମ ଭୋଟ୍‌ର ସିଂହଭାଗ ମମତାଙ୍କୁ ମିଳିଥିବାରୁ ଦଳର ବିଜୟ ରାସ୍ତା ସୁଗମ ହୋଇଗଲା ଏବଂ ବିଜେପିର ବିଜୟରେ ଏହା ବଡ଼ ବାଧକ ସାଜିଲା। ପଶ୍ଚିମବଂଗର ମହିଳା ଭୋଟର୍‌ ମମତାଙ୍କ ନୀତିକୁ ଅଧିକ ସମର୍ଥନ କରିବା ସହ ତାଙ୍କର ଶାସନରେ ସନ୍ତୁଷ୍ଟ ଥିବା ଏହି ନିର୍ବାଚନରେ ପ୍ରମାଣିତ ହୋଇଛି । ମମତା ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ଏବଂ ସ୍ଥାନୀୟ ବନାମ ବାହାରି ପ୍ରସଙ୍ଗରେ ବିଜେପିକୁ ଘେରିବାକୁ ସକ୍ଷମ ହୋଇଥିଲେ। ବଂଗଳା ସଂସ୍କୃତି ଏବଂ ବଂଗଳାର ଗୌରବ ଗାଥାକୁ ନିଜ ଭାଷଣରେ ପ୍ରମୁଖ ସ୍ଥାନ ଦେଇଥିବା ମମତାଙ୍କୁ ଶିକ୍ଷିତ ଭୋଟର୍‌ ବର୍ଗ ଅଧିକ ପସନ୍ଦ କରିଥିଲେ। ମମତା ପ୍ରାୟ ସମସ୍ତ ରୢାଲିରେ ଗୁଜରାଟ, ୟୁପି ଏବଂ ଅନ୍ୟ ରାଜ୍ୟରୁ ପ୍ରଚାର ପାଇଁ ଆସୁଥିବା ବିଜେପି ନେତାଙ୍କୁ ବାହାରି ବୋଲି ଦର୍ଶାଇ କଡ଼ା ସମାଲୋଚନା କରୁଥିଲେ।

ପ୍ରଚାର ବେଳେ ଆହତ ହେବାପରେ ମମତା ହ୍ବିଲ୍‌ ଚେୟାରରେ ବସି ସାରା ରାଜ୍ୟରେ ପ୍ରଚାର କରିବା ମଧ୍ୟ ତାଙ୍କ ସପକ୍ଷରେ ଲହର ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ଅନ୍ୟ ବିଜେପି ନେତାଙ୍କ ଆକ୍ରମଣାତ୍ମକ ପ୍ରଚାର ମମତାଙ୍କ କ୍ଷତି କରିବା ପରିବର୍ତ୍ତେ ତାଙ୍କ ପାଇଁ ସହାନୁଭୂତିର ବାତାବରଣ ସୃଷ୍ଟି କରିଥିଲା। ଏସବୁ କାରଣ ପାଇଁ ମମତା ପୁଣି ଥରେ ଐତିହାସିକ ବିଜୟ ହାସଲ କରି ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର