ଦିଦି ଟିକେ ହସନ୍ତୁ: ଦିଲ୍ଲୀରେ ଲାଗିଛି ମମତା ବାନାର୍ଜୀଙ୍କୁ ବ୍ୟଙ୍ଗବିଦ୍ରୂପ କରି ଲେଖା ଥିବା ପୋଷ୍ଟର୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଦଳଙ୍କର ବିଶାଳ ରାଲିରେ ଯୋଗଦେବାକୁ ଆସିଥିବାରୁ ତାଙ୍କୁ ବିଦ୍ରୂପ କରି ଗୁଡ଼ାଏ ପୋଷ୍ଟର୍‌ ଲଗାଯାଇଛି। ‘ଦିଦି, ଟିକେ ହସନ୍ତୁ ନା, ଆପଣ ଗଣତନ୍ତ୍ରରେ ଅଛନ୍ତି, ‘ଗଣତନ୍ତ୍ର ଜୀବନ୍ତ ଓ ସକ୍ରିୟ ଥିବା ଦିଲ୍ଲୀକୁ ସ୍ୱାଗତ କରୁଛୁ’ ଆଦି ଲେଖା ଓ ବ୍ୟଙ୍ଗଚିତ୍ର ଛାପା ଥିବା ପୋଷ୍ଟର୍‌ଗୁଡ଼ିକୁ ‘ୟୋଥ୍‌ ଫର୍‌ ଡେମୋକ୍ରାସି’ ନାମକ ସଂଗଠନ ଲଗାଇଥିବା ଜଣାପଡ଼ିଛି।

ସମ୍ପ୍ରତି ତାଙ୍କ ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସବୁକୁ ବିଦ୍ରୂପ କରି ଲେଖା ଓ ଚିତ୍ରିତ କରାଯାଇଥିବା ପୋଷ୍ଟର୍‌ଗୁଡ଼ିକ ଦିଲ୍ଲୀର ବିଭିନ୍ନ ସ୍ଥାନ ଯଥା:- ଜନ୍ତର ମନ୍ତର, ବଙ୍ଗ ଭବନ (ହେଲି ରୋଡ୍‌) ଏବଂ ଉଇଣ୍ଡ୍‌ସର୍‌ ପାଲେସ୍‌ ସର୍କଲ୍‌ ଅଞ୍ଚଳରେ ଲାଗିଛି।

ଜନ୍ତର ମନ୍ତର ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମି ପାର୍ଟି ନେତୃତ୍ୱାଧୀନ ‘ଏକଚ୍ଛତ୍ରବାଦ ହଟାଅ, ଦେଶ ବଞ୍ଚାଅ’ ରାଲିରେ ଯୋଗ ଦେବାକୁ ମମତା ବାନାର୍ଜୀ ଦିଲ୍ଲୀ ଆସିଛନ୍ତି। ବାନାର୍ଜୀଙ୍କ ସହ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି ପ୍ରତିବାଦରେ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର