ହୁବଲୀ: ଅଳ୍ପ ଦିନ ହେବ ‘ବିଜେପି’ ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିବା ‘ଆର୍‌ଏସ୍‌ଏସ୍‌’ ସଦସ୍ୟ ଜଗଦୀଶ ଶେଟ୍ଟାର୍‌ଙ୍କ ପାଇଁ ପ୍ରଚାର କରିବେ ବୋଲି ମୁଁ ଆଶା କରି ନ ଥିଲି କହି ଶନିବାର ଦିନ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମୀନ୍‌’ର (ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସାଦୁଦ୍ଦିନ୍‌ ଅୱେସୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି।

Advertisment

ଶନିବାର ଦିନ ହୁବଲୀରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେଇ ଅୱେସୀ କହିଲେ, ‘ଆର୍‌ଏସ୍‌ଏସ୍‌’ର ସଦସ୍ୟ କହିଥିବା ଜଗଦୀଶ ଶେଟ୍ଟାର୍‌ଙ୍କ ପାଇଁ ସୋନିଆ ଗାନ୍ଧୀ ପ୍ରଚାର କରିବେ ବୋଲି ମୁଁ ଆଶା କରି ନ ଥିଲି।

ସୂଚନାଯୋଗ୍ୟ, ମେ ୧୦ ତାରିଖରେ ‌ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ ନ ପାଇବାରୁ ଜଗଦୀଶ‌ ଶେଟ୍ଟାର୍‌ ଗତମାସରେ ‘ବିଜେପି’ରୁ ଇସ୍ତଫା‌ ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ସେ କଂଗ୍ରେସ ଟିକେଟ୍‌ ପାଇ ହୁବଲୀ-ଧର୍‌ୱାଡ୍‌ କେନ୍ଦ୍ରୀୟ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

publive-image Image Courtesy of NDTV

ଅୱେସୀ କହିଛନ୍ତି: ମାଡାମ୍‌ ସୋନିଆଜୀ, ଜଣେ ‘ଆର୍‌ଏସ୍‌ଏସ୍‌’ ସଦସ୍ୟଙ୍କ ପାଇଁ ପ୍ରଚାର କରିବେ ବୋଲି ଆଶା କରି ନ ଥିଲି। ଜଗଦୀଶ ଶେଟ୍ଟାର ‘ଆର୍‌ଏସ୍‌ଏସ୍‌’ ସଦସ୍ୟ। ଏହା କ’ଣ ଧର୍ମନିରପେକ୍ଷତା ପାଇଁ ଆପଣଙ୍କର ସଂଗ୍ରାମ? ଆପଣ କ’ଣ ଏଭଳି ଭାବେ ମ‌ୋଦୀଜୀଙ୍କ ବିରୋଧରେ ସଂଗ୍ରାମ କରିବେ?

ଲଜ୍ଜାର କଥା ଆଦର୍ଶଗତ ସଂଗ୍ରାମରେ କଂଗ୍ରେସ ପରାଜିତ ‌ହୋଇଥିବା ବେଳେ ସେମାନଙ୍କର ଜୋକର୍‌, କ୍ରୀତଦାସ ଓ ସେବାକାରୀମାନେ ଆମ ନାଁ’ରେ ଅଭିଯୋଗ କରୁଛନ୍ତି ବୋଲି ଅୱେସୀ କହିଛନ୍ତି। ଏହା ହେଉଛି ବିରୋଧୀମାନଙ୍କୁ ଅୱେସୀଙ୍କ ପରୋକ୍ଷ ସମାଲୋଚନା। କାରଣ ସେମାନେ ‘ଏଆଇଏମ୍‌ଆଇଏମ୍‌’କୁ ‘ବିଜେପି’ର ‘ବି’ ଟିମ୍‌ ବୋଲି କହିଥିଲେ।