ନୂଆଦିଲ୍ଲୀ: ବିହାରକୁ ଅପମାନ ଦେବା ଉଦ୍ଦେଶ୍ୟରେ କହି ନ ଥିଲି କହି ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍‌ ବିହାର ବିଷୟରେ ଦେଇଥିବା ବିବାଦୀୟ ଟିପ୍ପଣୀ ପ୍ରତ୍ୟାହାର କରିଛନ୍ତି। ତାଙ୍କ ଟିପ୍ପଣୀ ଯୋଗୁଁ ବିହାର ରାଜ୍ୟର ସାଂସଦମାନେ ଉତ୍‌କ୍ଷିପ୍ତ ହୋଇ ସଂସଦରେ ପ୍ରତିବାଦ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀ ପୀୟୂଷ କ୍ଷମାଭିକ୍ଷା କରନ୍ତୁ ବୋଲି ଦାବି କରିଥିଲେ।

Advertisment

ମଙ୍ଗଳବାର ଦିନ ‘ଆର୍‌ଜେଡି’ ସାଂସଦ ମନୋଜ ଝା’ ରାଜ୍ୟସଭାରେ ମୁଦ୍ରାସ୍ଫିତି ସମ୍ପର୍କରେ କହୁଥିବା ବ‌େଳେ ମନ୍ତ୍ରୀ ପୀୟୂଷ ବାଧା ଦେଇ କହିଥିଲେ, ଏହାଙ୍କର କ୍ଷମତା ଥିଲେ ସମଗ୍ର ଦେଶକୁ ବିହାରରେ ପରିଣତ କରି ପକାନ୍ତେ।

publive-image Image Courtesy of NBT

ତତ୍‌କ୍ଷଣାତ୍‌ ପ୍ରତିବାଦ କରି ଝା’ କହିଲେ, ସାର୍‌, ଏଇଟା ବିହାର ପ୍ରତି ଅପମାନ। ପୀୟୂଷଜୀ, ଆପଣଙ୍କୁ ହାତଯୋଡ଼ି ନିବେଦନ କରୁଛି, ମୋ ବିଷୟରେ ଯାହା କହିବା କଥା କୁହନ୍ତୁ। କିନ୍ତୁ, ଦୟାପୂର୍ବକ ବିହାର ଉପରେ ଟିପ୍ପଣୀ ଦିଅନ୍ତୁ ନାହିଁ।

ବିହାର ସାଂସଦମାନେ ଜିଦ୍‌ ଧରିବାରୁ ଆଜି ସକାଳେ ରାଜ୍ୟସଭାରେ ସ୍ପଷ୍ଟୀକରଣ ଦେଇ ପୀୟୂଷ ଗୋୟଲ୍‌ କହିଛନ୍ତି: ମୁଁ ସ୍ପଷ୍ଟ ଭାବେ ବୁଝାଇ କହୁଛି କି, ବିହାର କିଂବା ବିହାରୀଙ୍କୁ ଅପମାନ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ମୋ ଟିପ୍ପଣୀ ଯଦି କାହା ଭାବାବେଗକୁ ବାଧିଛି, ତୁରନ୍ତ ମୁଁ ମୋ ଟିପ୍ପଣୀ ପ୍ରତ୍ୟାହାର କରୁଛି।

ଆଜି ସକାଳେ ସଂସଦରେ ସାଂସଦମାନେ ଚିତ୍କାର କରି କହିଥିଲେ, ପୀୟୂଷ ଗୋୟଲ୍‌ କ୍ଷମାଭିକ୍ଷା କରନ୍ତୁ। ବିହାର ପ୍ରତି ଅପମାନ ଆମେ ସହ୍ୟ କରିପାରିବୁ ନାହିଁ। ବିହାର ସାଂସଦମାନେ ଅଭିଯୋଗ କରିଥିଲେ କି, ହୀନ ମନ୍ତବ୍ୟ ଦେଇ ଗୋୟଲ୍‌ ସେମାନଙ୍କ ରାଜ୍ୟର ମର୍ଯ୍ୟାଦା ହାନି କରିଛନ୍ତି।