ନିପା ରୋଗୀଙ୍କ ଚିକିତ୍ସା କରୁ କରୁ ପ୍ରାଣ ହରାଇଲେ ନର୍ସ, ସମୟ ନ ଥିବାରୁ ସ୍ୱାମୀଙ୍କୁ ଦୁଃଖଭରା ଚିଠି ଲେଖି ଜଣାଇଲେ ଶେଷ ଇଚ୍ଛା

ଥିରୁବନନ୍ତପୁରମ୍‌ : କେରଳରେ ଏବେ ନିପା ଭୂତାଣୁ ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ପାଇଁ ଅନେକ ଲୋକ ପ୍ରାଣ ହରାଉଥିବା ବେଳେ ଏବେ ଜଣେ ନର୍ସ ନିପା ରୋଗୀଙ୍କ ଚିକିତ୍ସା କରୁ କରୁ ପ୍ରାଣ ହରାଇଛନ୍ତି । ସୋମବାର ଏହି ଘଟଣା ଘଟିଥିବା ବେଳେ ନର୍ସ ଲିନି ପୁଥୁସେରୀ ନିଜ ପରିବାର ସହ ଶେଷ ସମୟରେ କଥା ହେବା ପାଇଁ ମଧ୍ୟ ସମୟ ପାଇ ନ ଥିଲେ । ନିପା ଭୂତାଣୁର ଶିକାର ହୋଇ ସେ ଆଉ ବଞ୍ଚିବେନି ବୋଲି ଜାଣିବା ପରେ ବିଳମ୍ବ ନ କରି ଲିନି ତାଙ୍କ ସ୍ୱାମୀଙ୍କୁ ଚିଠି ଲେଖିଥିଲେ । ଯେଉଁ ଚିଠି ପଢ଼ିଲେ ଆଖିକୁ ଲୁହ ଚାଲିଆସିବ।

ଏହି ଚିଠିରେ ସେ ଲେଖିଛନ୍ତି, “ମୋର ଏବେ ଯିବା ସମୟ ଆସି ଗଲାଣି । ମୋତେ ଲାଗୁନି ମୁଁ ତୁମକୁ ଆଉ ଦେଖି ପାରିବି । ମୋତେ କ୍ଷମା କରିଦେବ ଏମିତି ହଠାତ୍‌ ଚାଲି ଯାଉଛି । ମୋ ପରେ ପରେ ଆମ ପିଲାମାନଙ୍କ ଧ୍ୟାନ ରଖିବ।” ଲିନିଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ଶକ୍ତ ଝଟ୍‌କା ଲାଗିଥିବା ବେଳେ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌ନ ।

The News Minute

ନିଜ ଫେସ୍‌ବୁକ୍‌ ପେଜ୍‌ରେ ସେ ଲେଖିଛନ୍ତି, “ରୋଗୀମାନଙ୍କ ଦେଖାଶୁଣା କରି ଲିନି ନିଜ ଜୀବନ ହରାଇଛନ୍ତି । ଲିନିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଲିନି ଯାହା କରିଛନ୍ତି ତାହା ଅତୁଳନୀୟ । କେରଳର ବାସିନ୍ଦା ହିସାବରେ ଆମେ ସମସ୍ତେ ତାଙ୍କ ପରିବାର ଏବଂ ବନ୍ଧୁ ପରିଜନମାନଙ୍କ ଦୁଃଖକୁ ବାଣ୍ଟିବା ପାଇଁ ଚେଷ୍ଟା କରିବା ଦରକାର।” । ଅନ୍ୟ ପକ୍ଷରେ ଲିନିଙ୍କ ମୃତ୍ୟୁ ପରେ ଯେମିତି ଭୂତାଣୁ ଅଧିକ ନ ବ୍ୟାପେ ସେଥିପାଇଁ ତାଙ୍କୁ ତୁରନ୍ତ ସମାଧି ଦିଆଯାଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର