ଶସ୍ତା ଡିଜେଲକୁ ନେଇ ନେପାଳ ସରକାରଙ୍କର ଛାଟ, ଭାରତର ଟ୍ରକ ପାଇଁ ସୀମା ନିର୍ଦ୍ଧାରଣ କଲେ ସରକାର

ନୂଆଦିଲ୍ଲୀ: ଶସ୍ତା ପେଟ୍ରୋଲ-ଡିଜେଲ ପାଇଁ ନେପାଳ ଯାଉଥିବା ଭାରତର ଟ୍ରକ ଚାଳକଙ୍କୁ ନେପାଳ ସରକାର ଝଟକା ଦେଇଛନ୍ତି | ଭାରତ-ନେପାଳ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପେଟ୍ରୋଲ ପମ୍ପ ପାଇଁ ନେପାଳ ତୈଳ ନିଗମ ନିର୍ଦ୍ଦେଶାବଳୀ ଜାରି କରିଛି। ମିଳିଥିବା ସୂଚନା ମୁତାବକ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଭାରତୀୟ ଟ୍ରକମାନେ ନେପାଳର ଡିଜେଲ-ପେଟ୍ରୋଲ ବ୍ୟବହାର କରୁଥିଲେ | ଆଉ ଏଥିପାଇଁ କଳା ବେପାରୀ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା | ତେବେ ଏଥିରେ ରୋକ ଲଗାଇବାକୁ ନେପାଳ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି |

ନେପାଳ ସରକାରଙ୍କ ପକ୍ଷରୁ ସୀମାନ୍ତ ଜିଲ୍ଲାର ପେଟ୍ରୋଲ ପମ୍ପକୁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଭାରତୀୟ ଗାଡିରେ ୧୦୦ ଲିଟରରୁ ଅଧିକ ଡିଜେଲ ପକାଯିବ ନାହିଁ | ଏହା ବ୍ୟତୀତ କୌଣସି ତେଲ ଟ୍ୟାଙ୍କରରେ ଡିଜେଲ / ପେଟ୍ରୋଲ ଦେବା ଉପରେ ନିଷେଧାଦେଶ ରହିଛି। ଗାଇଡଲାଇନରେ ଆହୁରି ମଧ୍ୟ କୁହାଯାଇଛି ଯେ ନେପାଳକୁ ଆସୁଥିବା ଭାରତର ଗାଡି ଗୁଡିକ ଉପରେ ନଜର ରଖାଯାଉ | ଯେଭଳି ପେଟ୍ରୋଲ-ଡିଜେଲ କଳାବଜାରୀ ହୋଇପାରିବ ନାହିଁ |

ସୂଚନା ମୁତାବକ, ଭାରତରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ନେପାଳ ଯାଉଥିବା ଟ୍ରକଗୁଡ଼ିକ ସେମାନଙ୍କ ଟ୍ୟାଙ୍କ ଖାଲି କରି ନେପାଳ ଯାଇ ସେଠାରୁ ଡିଜେଲ ପୂର୍ଣ୍ଣ କରି ଆସୁଛନ୍ତି | କାରଣ ଭାରତୀୟ ମୁଦ୍ରା ଅନୁଯାୟୀ ନେପାଳରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୩୧ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ଟଙ୍କା ୬୯ ପଇସା ରହିଛି | ଭାରତରେ କିନ୍ତୁ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ଥିବାବେଳେ ଡିଜେଲ ୮୦ ଟଙ୍କା ଉପରେ ରହିଛି | ବଡ କଥା ଯେ ନେପାଳରେ ବିକ୍ରି ହେଉଥିବା ତେଲ ଭାରତରୁ ଯାଉଛି | ପୁରୁଣା ଚୁକ୍ତିନାମା ଅନୁଯାୟୀ, ଭାରତୀୟ ତୈଳ ନିଗମ (ଆଇଓସି) କେବଳ ନେପାଳ ପାଇଁ ଗଲ୍ଫ ଦେଶରୁ ଇନ୍ଧନ ମଗାଉଛି । ଆଇଓସି କ୍ରୟ ମୂଲ୍ୟରେ ନେପାଳକୁ ଇନ୍ଧନ ଯୋଗାଏ ଏବଂ ନେପାଳରୁ କେବଳ ରିଫାଇନାରୀ ଚାର୍ଜ ଆଦାୟ କରିଥାଏ |

ସମ୍ବନ୍ଧିତ ଖବର