ଲିଙ୍ଗଗତ ଅନୁପାତ:ଦକ୍ଷିଣ ଭାରତର ସ୍ଥିତି ବିଗିଡ଼ିଲା

ଆନ୍ଧ୍ରରେ ହଜାର ପୁଅରେ ୮୦୬ ଝିଅ ,ଓଡ଼ିଶାରେ ହଜାରେ ପୁଅରେ ୮୫୮ ଝିଅ, ଜାତୀୟ ସ୍ତରରେ ହଜାରେ,ପୁଅରେ ୮୭୭ ଝିଅ

ନୂଆଦିଲ୍ଲୀ,:ହରିୟାଣା ଏବଂ ପଞ୍ଜାବ ଭଳି ଉତ୍ତର ଭାରତୀୟ ରାଜ୍ୟ ଗୁଡ଼ିକରେ ଲିଙ୍ଗଗତ ଅନୁପାତ ଅଧିକ ରହିଥାଏ। ଏସବୁ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ଜନ୍ମ ସଂଖ୍ୟା କମ୍ ରହିଥାଏ। ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ସ୍ଥିତି ଅପେକ୍ଷାକୃତ ଭଲ ରହିଥାଏ। ଏବେ କିନ୍ତୁ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ସ୍ଥିତି ବିଗିଡ଼ିବାରେ ଲାଗିଲାଣି। କେରଳକୁ ଛାଡ଼ିଲେ ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ଗୁଡ଼ିକରେ ପୁଅଙ୍କ ତୁଳନାରେ ଝିଅମାନେ କମ୍ ସଂଖ୍ୟାରେ ଜନ୍ମ ହେଉଛନ୍ତି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ‌କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କେନ୍ଦ୍ରୀୟ ପଞ୍ଜୀକରଣ ବ୍ୟବସ୍ଥା(ସିଆର୍‌ଏସ୍‌)ରୁ ଏହି ବିଷୟ ପଦାକୁ ଆସିଛି।
୨୦୧୬ ମସିହାରେ ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରେ ଲିଙ୍ଗଗତ ଅନୁପାତ(ହଜାରେ ପୁଅରେ ଝିଅଙ୍କ ଜନ୍ମ ସଂଖ୍ୟା) ସବୁଠାରୁ ଖରାପ ରହିଛି। ଏହି ଦୁଇଟି ରାଜ୍ୟରେ ପ୍ରତି ହଜାରେ ପୁଅରେ ୮୦୬ ଜଣ ଝିଅ ଜନ୍ମ ହେଉଛନ୍ତି। ତାମିଲନାଡ଼ୁରେ ବି ଲିଙ୍ଗଗତ ଅନୁପାତ ଖରାପ ହେବାରେ ଲାଗିଛି। ଅଧିକ ଲିଙ୍ଗଗତ ଅନୁପାତ ଥିବା ରାଜ୍ୟ ମଧ୍ୟରେ ତାମିଲନାଡ଼ୁ ଷଷ୍ଠ ସ୍ଥାନରେ ରହିଛି। ପ୍ରତି ହଜାରେ ପୁଅରେ ଏଠାରେ ୮୪୦ ଜଣ ଝିଅ ଜନ୍ମ ହେଉଛନ୍ତି। ପୂର୍ବରୁ ୨୦୦୭ରେ ଏହି ରାଜ୍ୟରେ ହଜାରେ ପୁଅରେ ୯୩୫ ଜଣ ଝିଅ ଜନ୍ମ ହେଉଥିଲେ। ଏପରିକି ଜାତୀୟ ହାର ତୁଳନାରେ ଉପରୋକ୍ତ ରାଜ୍ୟଗୁଡ଼ିକରେ ପୁଅଙ୍କ ତୁଳନାରେ କମ୍ ସଂଖ୍ୟାରେ ଝିଅ ଜନ୍ମ ହେଉଛନ୍ତି। ଜାତୀୟ ସ୍ତରରେ ପ୍ରତି ହଜାରେ ପୁଅରେ ୮୭୭ଜଣ ଝିଅ ଜନ୍ମ ହେଉଛନ୍ତି। କର୍ଣ୍ଣାଟକରେ ପୂର୍ବରୁ ପ୍ରତି ହଜାରେ ପୁଅରେ ୧୦୦୪ ଜଣ ଝିଅ ଜନ୍ମ ହେଉଥିବାବେଳେ ନୂଆ ତଥ୍ୟରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୮୯୬କୁ ଖସିଆସିଛି। ୨୦୧୩ରେ ‌ଆନ୍ଧ୍ର ପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ଗଠନ ହେବା ସମୟରେ ଏହି ରାଜ୍ୟରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୯୫୪ ଥିବାବେଳେ ୨୦୧୬ରେ ଏହା ୮୮୧କୁ ହ୍ରାସ ପାଇଛି। କିନ୍ତୁ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଲିଙ୍ଗଗତ ଅନୁପାତର ସ୍ଥିତି ବଦଳିଛି। ଦିଲ୍ଲୀ ଏବଂ ଆସାମର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତନ ଆସିଛି। ଦିଲ୍ଲୀରେ ପ୍ରତି ହଜାରେ ପୁଅରେ ୮୪୮ ଜଣ ଝିଅ ଥିବାବେଳେ ଏହା ୯୦୨କୁ ବୃଦ୍ଧି ପାଇଛି। ସେହିଭଳି ଆସାମରେ ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୮୩୪ ଥିବାବେଳେ ଏମାନଙ୍କ ସଂଖ୍ୟା ୮୮୮ରେ ପହଞ୍ଚିଛି।
କିନ୍ତୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଜମ୍ମୁ କଶ୍ମୀର ଏବଂ ଗୋଆରେ ଏହି ଅନୁପାତ ଖରାପ ହେବାରେ ଲାଗିଛି। ବିହାର ଓ ଉତ୍ତର ପ୍ରଦେଶରେ ମଧ୍ୟ ଏହି ସ୍ଥିତି ଖରାପ ହୋଇଛି। ଓଡ଼ିଶାରେ ପୂର୍ବରୁ ପ୍ରତି ହଜାରେ ପୁଅରେ ୯୧୯ ଜଣ ଝିଅ ଜନ୍ମ ହେଉଥିବାବେଳେ ଏହି ସଂଖ୍ୟା ଏବେ ୮୫୮କୁ ଖସିଆସିଛି। ବିହାରରେ ପ୍ରତି ୧୦୦୦ ପୁଅରେ ପୂର୍ବରୁ ୯୨୪ ଝିଅ ଜନ୍ମ ହେଉଥିବାବେଳେ ନୂଆ ତଥ୍ୟରେ ଏହା ୮୩୭ ରହିଛି। ଉତ୍ତର ପ୍ରଦେଶରେ ପ୍ରତି ହଜାରେ ପୁଅ ଜନ୍ମରେ ଝିଅଙ୍କ ସଂଖ୍ୟା ୯୩୦ରୁ ୮୮୫କୁ ହ୍ରାସ ପାଇଛି। ତେବେ ଏଠାରେ ଶିଶୁଙ୍କ ଜନ୍ମ ପଞ୍ଜୀକରଣ ୬୦ ପ୍ରତିଶତ ଥିବାରୁ ଲିଙ୍ଗଗତ ଅନୁପାତର ବାସ୍ତବ ଚିତ୍ର ପ୍ରତିଫଳନ ହୋଇ ପାରି ନଥିବା କୁହାଯାଇଛି। କିନ୍ତୁ ୨୦୦୯ରେ ଗୁଜରାଟରେ ପ୍ରତି ହଜାରେ ପୁଅରେ ୯୦୫ ଜଣ ଝିଅ ଜନ୍ମ ହେଉଥିବାବେଳେ ୨୦୧୪ରେ ଏହି ସଂଖ୍ୟା ୮୮୬କୁ ହ୍ରାସ ପାଇଛି। ଗୁଜରାଟରେ ଜନ୍ମ ପଞ୍ଜୀକରଣ ହାର ପ୍ରାୟ ୧୦୦ ପ୍ରତିଶତ ରହିଛି।

ଆନ୍ଧ୍ର ପ୍ରଦେଶରେ ବୃହତ୍ ହ୍ରାସ
ଆନ୍ଧ୍ର ପ୍ରଦେଶ ୮୦୬
ରାଜସ୍ଥାନ ୮୦୬
ଉତ୍ତରାଖଣ୍ଡ ୮୨୫
ବିହାର ୮୩୭
ତାମିଲନାଡ଼ୁ ୮୪୦

ଅଧିକ ହ୍ରାସ ଘଟିଥିବା ରାଜ୍ୟ
ରାଜ୍ୟ ୨୦୦୭ ୨୦୧୬ ପରିବର୍ତନ
ଆନ୍ଧ୍ର ପ୍ରଦେଶ ୯୭୪ ୮୦୬ -୧୬୮
କର୍ଣ୍ଣାଟକ ୧୦୦୪ ୮୯୬ -୧୦୮
ତାମିଲନାଡ଼ୁ ୯୩୫ ୮୪୦ -୯୫
ଓଡ଼ିଶା ୯୧୯ ୮୫୮ -୬୧
ଉତ୍ତରାଖଣ୍ଡ ୮୬୯ ୮୨୫ -୪୪

ସମ୍ବନ୍ଧିତ ଖବର