‘ମତାନ୍ତର ବିବାଦର କାରଣ ନହେଉ’; ଚୀନ୍‌କୁ କହିଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

ବେଜିଂ: ‘ମତାନ୍ତର ବିବାଦର କାରଣ ନହେଉ’; ଆଜି ଏହିପରି ବେଶ୍‌ ସ୍ପଷ୍ଟ ଓ ଶାଣିତ ଭାବେ ଭାରତର ଆଭିମୁଖ୍ୟକୁ ଚୀନ୍‌ ସମ୍ମୁଖରେ ରଖିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ ପାଇଁ ଭାରତର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲା ଚୀନ୍‌। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ତିନି ଦିନ ପାଇଁ ଚୀନ୍‌ ଗସ୍ତରେ ଯାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଏହି ଗସ୍ତ ଅବସରରେ ଆଜି ଅପରାହ୍ଣରେ ବେଜିଂ ଠାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ତାଙ୍କ ଚୀନ୍‌ ପ୍ରତିପକ୍ଷ ତଥା ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ଇଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ କାଳରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସ୍ପଷ୍ଟ କରି ଦେଇଥିଲେ ଯେ ଜମ୍ମୁ- କଶ୍ମୀର ଓ ଲଦାଖ ପ୍ରସଙ୍ଗରେ ଭାରତ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଓ ଆଗାମୀ ଭବିଷ୍ୟତରେ ଯାହା ବି କିଛି ନିଷ୍ପତ୍ତି ନେବେ ସେସବୁ ଭାରତର ସଂପୂର୍ଣ୍ଣ ନିଜସ୍ୱ ଓ ଆଭ୍ୟନ୍ତରୀଣ ବ୍ୟାପାର। କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଓ ନିଷ୍ପତ୍ତିକୁ କେନ୍ଦ୍ର କରି ବୈଦେଶିକ ସ୍ତରରେ କୌଣସି ପ୍ରକାରର ଅଶାନ୍ତି ବା ବିବାଦ ସୃଷ୍ଟି ହେବାର କୌଣସି ଯଥାର୍ଥତା ନାହିଁ।

Hindustan

ସାଂପ୍ରତିକ ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱରେ ସ୍ଥିରତା ରକ୍ଷା କ୍ଷେତ୍ରରେ ଉଭୟ ଭାରତ ଓ ଚୀନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁିବାକୁ ଯାଉଥିବା ବେଳେ ଏସବୁ ଅପ୍ରାସଙ୍ଗିକ ପ୍ରସଙ୍ଗକୁ ଅଯଥା ଗୁରୁତ୍ୱ ପ୍ରଦାନ କରି ପରସ୍ପର ମଧ୍ୟରେ ତିକ୍ତତା ଓ ବିବାଦ ସୃଷ୍ଟି କରିବାର କୌଣସି କାରଣ ନାହିଁ। କାରଣ, ଭାରତ ଯେହେତୁ କୌଣସି ବୈଦେଶିକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ କେବେହେଲେ ହସ୍ତକ୍ଷେପ କରେନାହିଁ ସେଥିପାଇଁ ଭାରତ ମଧ୍ୟ ଚାହେଁ କୌଣସି ବୈଦେଶିକ ରାଷ୍ଟ୍ର ତା’ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରୁ, ବୋଲି ବୈଠକ କାଳରେ ଚୀନ୍‌ ପ୍ରତିପକ୍ଷଙ୍କୁ ଜଣାଇ ଦେଇଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

News18

ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ, ଜୟଶଙ୍କରଙ୍କର ଏ ପ୍ରକାର ସ୍ପଷ୍ଟ ଓ ଖୋଲାଖୋଲି ବକ୍ତବ୍ୟକୁ ସ୍ୱାଗତ କରିବା ସହ କହିଥିଲେ ଯେ ଭାରତର କୂଟନୀତିଜ୍ଞ ଭାବେ ଚୀନ୍‌ରେ ନିଜର ଦୀର୍ଘ ତିନି ବର୍ଷର ଅବସ୍ଥାନ କାଳରେ ଭାରତ- ଚୀନ୍‌ ଦ୍ୱିପାକ୍ଷିକ ସଂପର୍କକୁ ଏକ ନୂତନ ଦିଗନ୍ତ ଦେଇଥିବା ଜୟଶଙ୍କର ଏବେ ବୈଦେଶିକ ମନ୍ତ୍ରୀ ଭାବେ ସେହି ସଂପର୍କକୁ ଆଉ ଏକ ନୂତନ ସୋପାନକୁ ନେଇଯିବେ।

ସମ୍ବନ୍ଧିତ ଖବର