ଏମିତି ଏକ ଦେଶ ଯେଉଁଠି ବର୍ଷକ ୧୩ ମାସ, ଏବେ ଚାଲିଛି ୨୦୧୩ ମସିହା

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ୨୦୨୦ | ନୂଆବର୍ଷ ପାଳନ ପାଇଁ ଏବେ ବି ଲୋକଙ୍କ ମନରୁ ଉତ୍ସାହ କମିନାହିଁ | ଭାରତ ସହ ସାରା ବିଶ୍ୱରେ ୨୦୨୦ ନୂଆବର୍ଷ ପାଳନ କରାଯାଇଛି | କିନ୍ତୁ ଏବେ ବି ଏମିତି ଏକ ଦେଶ ଅଛି ଯାହାର ସମୟ ଆମଠାରୁ ୭ ବର୍ଷ ୩ ମାସ ପଛରେ ଚାଲିଛି | ଏବେ ଏହି ଦେଶରେ ୨୦୧୩ ମସିହା ଚାଲିଛି | କେବଳ ଏତିକି ନୁହେଁ, ଏଠାରେ ବର୍ଷକୁ ୧୨ ନୁହେଁ ବରଂ ୧୩ ମାସ ହୋଇଥାଏ | ଜାଣନ୍ତୁ ଏହି ଦେଶ ବାବଦରେ କିଛି ରୋଚକ କଥା।


ଏହି ଦେଶର ନାମ ହେଉଛି ଇଥିଓପିଆ, ଯାହାର ରାଜଧାନୀ ଆଦିଶ ଅବାବା | ଇଥିଓପିଆ ଆଫ୍ରିକାର ସବୁଠାରୁ ପୁରାତନ ସ୍ୱାଧୀନ ଦେଶ | ଇଥିଓପିଆର ଜନସଂଖ୍ୟା ୧୧ କୋଟି ୪୦ ଲକ୍ଷ ହୋଇଥିବା ବେଳେ ଏହା ପୂର୍ବ ଆଫ୍ରିକାରେ ଅବସ୍ଥିତ | ନାଇଜେରିଆ ପରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ଲୋକ ଏହି ଦେଶରେ ବସବାସ କରନ୍ତି।

ଏହି ଦେଶର ପୂର୍ବରେ ସୋମାଲିଆ, ଦକ୍ଷିଣରେ କେନିଆ ଓ ପଶ୍ଚିମରେ ସୁଦାନ ରହିଛି | ଦୁନିଆରେ ପ୍ରଥମେ ଜୁଲିଆନ କ୍ୟାଲେଣ୍ଡରର ବ୍ୟବହାର କରାଯାଉଥିଲା | ୧୫୮୨ ମସିହାରେ ଗ୍ରେଗୋରିଆନ କ୍ୟାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଥିଲା | ପ୍ରାୟ ସମସ୍ତ ଦେଶ ଏହି କ୍ୟାଲେଣ୍ଡରକୁ ଆପଣେଇଥିଲେ | କିନ୍ତୁ ଇଥିଓପିଆ ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ବିରୋଧ କରିଥିଲା | ଇଥିଓପିଆ ଇଥିଓପିଆନ କ୍ୟାଲେଣ୍ଡର ହିଁ ବ୍ୟବହାର କରିଥାଏ | ଇଥିଓପିଆନ କ୍ୟାଲେଣ୍ଡରରେ ବର୍ଷକ ୧୩ ମାସ ହୋଇଥାଏ | ସେଠାରେ ନୂଆ ବର୍ଷ ୧୦ କିମ୍ବା ୧୧ ସେପ୍ଟେମ୍ବରରେ ହିଁ ଆରମ୍ଭ ହୋଇଥାଏ | ୧୨ ମାସରେ ୩୦ ଦିନ ଥିବାବେଳେ ଶେଷ ମାସ କେବଳ ପାଞ୍ଚ ବା ୬ ଦିନ ରହିଥାଏ |

ସମ୍ବନ୍ଧିତ ଖବର