ଭିନ୍ନ ଜଗତରୁ ଆସୁଛି ଘାତକ ବାର୍ତ୍ତା! ବ୍ୟାଖ୍ୟା କଲେ ଧ୍ୱଂସ ପାଇଯିବ ମାନବ ସମାଜ

ସତର୍କ କଲେ ବୈଜ୍ଞାନିକ 

ନୂଆଦିଲ୍ଲୀ: ଅନ୍ତରୀକ୍ଷରୁ ଆସୁଥିବା ଅଜ୍ଞାତ ବାର୍ତ୍ତା ପୃଥିବୀବାସୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ଭିନ୍ନ ଗ୍ରହର ଜୀବ(ଏଲିଏନ୍‌)ମାନେ ପଠାଉଥିବା ଏହି  ଦୁର୍ବୋଧ୍ୟ ସଂକେତଗୁଡ଼ିକୁ ବ୍ୟାଖ୍ୟା କରିବାର ପରିଣତି ସ୍ୱରୂପ ଭୂପୃଷ୍ଠରୁ ଜୀବଜଗତ ଧ୍ୱଂସ ପାଇଯିବ। ଏଭଳି ଆଶଙ୍କା ପ୍ରକଟ କରି ବୈଜ୍ଞାନିକମାନେ ମାନବ ସମାଜକୁ ସତର୍କ କରପାଇଦେଇଛନ୍ତି। ଅନ୍ତଃନକ୍ଷତ୍ରୀୟ ଯୋଗାଯୋଗ ସମ୍ପର୍କିତ ଏକ ଗବେଷଣାତ୍ମକ ସନ୍ଦର୍ଭରେ ହାଓ୍ଵାଇ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀର ସୋନବର୍ଗ ନିରୀକ୍ଷଣ କେନ୍ଦ୍ରର ବୈଜ୍ଞାନିକମାନେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନଙ୍କର ଅନୁଧ୍ୟାନ ଅନୁଯାୟୀ, ଭୂପୃଷ୍ଠରୁ ଜୀବ ଜଗତ ଧ୍ୱଂସ ପାଇଁ ଏଲିଏନ୍‌ମାନଙ୍କ  କୌଣସି ବୋମା କି ଯୁଦ୍ଧାସ୍ତ୍ରର ଆବଶ୍ୟକତା ପଡ଼ିବନି। କେବଳ କିଛି ବାର୍ତ୍ତା ଛାଡ଼ିଦେଲେ ହିଁ ପୃଥିବୀବାସୀଙ୍କୁ ତାହାର ବିନାଶକାରୀ ପରିଣତି ଭୋଗିବାକୁ ପଡ଼ିବ। ସୂଚନା ଥାଉ କି, ବିଭିନ୍ନ ସମୟରେ କୌଣସି ଅଜଣା ନକ୍ଷତ୍ରରୁ ଏପରି ଅବୁଝା ସଂକେତ ଆମ ପାଖରେ ପହଞ୍ଚିବାରେ ଲାଗିଛି। ତେବେ କୌତୂହଳବଶତଃ ସେଗୁଡ଼ିକୁ ବୁଝିବା ଉଦ୍ଦେଶ୍ୟ ଆବଶ୍ୟକ ବ୍ୟାଖ୍ୟା କରିବା ପାଇଁ ଅନିସନ୍ଧିତ୍ସୁ ପୃଥିବୀବାସୀ ତତ୍ପର ହୋଇପଡ଼ିବା ସ୍ୱାଭାବିକ କଥା। ତେବେ ତାହା କରିବା ପୂର୍ବରୁ ତାହା କେତେ ବିପଜ୍ଜନକ ସେ ସମ୍ପର୍କରେ ଆମେ ଅବଗତ ନୁହେଁ କି ଜାଣିବା ମଧ୍ୟ ସମ୍ଭବ ନୁହେଁ। ସୁତରାଂ ଏଭଳି ଅନ୍ତରୀକ୍ଷରୁ ଆସୁଥିବା ସେଭଳି ବାର୍ତ୍ତାକୁ ଆଖିବୁଜି ଆଡ଼ କରିଦେବା ପାଇଁ ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି।

ଗବେଷକ ମାଇକେଲ୍‌ ହିପ୍‌କେ ଏବଂ ଜନ୍‌ ଜି ଲର୍ନେଡ୍‌ଙ୍କ କହିବା ଅନୁଯାୟୀ, ପୃଥିବୀ ବାହାରେ ଯଦି କିଛି ସଭ୍ୟତା ତିଷ୍ଠି ରହିଥାଏ, ତାହା ସଂସ୍ପର୍ଶରେ ଆସିବା ଆମ ପାଇଁ କ୍ଷତିକାରକ ହୋଇନପାରେ। ମାତ୍ର ସେଠାରୁ ଆସୁଥିବା କୌଣସି ବାର୍ତ୍ତା କ’ଣ ବହନ କରୁଛି, ତାହା ଜାଣିବା ଆମ ପକ୍ଷେ ସମ୍ପୂର୍ଣ୍ଣ  ଅସମ୍ଭବ। ତେଣୁ ତାହାକୁ ବ୍ୟାଖ୍ୟା ନକରି ସେମିତି ଅଣଦେଖା କରି ଛାଡ଼ିଦେବା ଉଚିତ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। କାରଣ ସେଭଳି ଅଜଣା ଦୁର୍ବୋଧ୍ୟ ସଂକେତକୁ ବିଶୁଦ୍ଧୀକରଣ ବା ସଂକ୍ରମଣମୁକ୍ତ କରିବାର ଉପାୟ ମଧ୍ୟ ଆମ ପାଖରେ ନାହିଁ। ଅତ୍ୟାଧୁନିକ କମ୍ପ୍ୟୁଟର ଭୂତାଣୁ ରୂପରେ ସେଭଳି ଜଟିଳ ବାର୍ତ୍ତା ଆସିଥାଇପାରେ ଯାହି କି ଆମର ସମଗ୍ର ନେଟ୍‌ଓ୍ଵର୍କ ପ୍ରଣାଳୀକୁ ଅକ୍ଷମ କରିଦେଇପାରେ। ପରିଣତି ସ୍ୱରୂପ ଆମର ଦୈନନ୍ଦିନ ଜୀବନଯାତ୍ରା ଠପ୍‌ ହୋଇପଡ଼ିବ। ତାହାକୁ ଆଉ ସୁଧାରିବାର ବାଟ ନଥିବାରୁ ମାନବ ସମାଜ ଧ୍ୱଂସାଭିମୁଖୀ ହୋଇପଡ଼ିବ ବୋଲି  ହିପ୍‌କେ ଏବଂ ଲର୍ନେଡ୍‌ ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର