ବଦଳୁଛି ପାଣିପାଗ : କେଉଁଠି ପଡୁଛି ବରଫ ତ ଆଉ କେଉଁଠି ହେଉଛି ବର୍ଷା!

ନୂଆଦିଲ୍ଲୀ : ବଦଳୁଛି ପାଣିପାଗ। ଶୀତ ଶେଷ ଆଡକୁ ପାହାଡିଆ ଅଂଚଳରେ ତୁଷାର ପାତ ଜୋରଦାର ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜନ ଜୀବନକୁ ପ୍ରଭାବିତ କରିଛି । ଅପରପକ୍ଷରେ ୟୁପି ଓ ମଧ୍ୟପ୍ରଦେଶରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତୁ ଜାଣିବା ଦେଶର ଦୁଇଟି ଭାଗରେ କିଭଳି ବଦଳିଛି ପାଣିପାଗର ମିଜାଜ୍।

ଜମ୍ମୁ-କାଶ୍ମୀରର ଚାରିଆଡେ ଖାଲି ବରଫ ହିଁ ବରଫ । ଘରଦ୍ୱାର, ମାଟି, ଗଛପତ୍ର ଉପରେ ବି ବରଫର ମୋଟା ଆସ୍ତରଣ । ଜାମ୍ମୁ କାଶ୍ମୀରର ଏପରି ଦୃଶ୍ୟ ବୟାନ୍ କରୁଛି କିଭଳି ପଡ଼ିଛି ଶୀତ । ଦୁଇକଡ଼ରେ ଥିବା ବଣଜଙ୍ଗଲ, ପାହାଡ଼ ପର୍ବତ ସବୁକିଛି ବରଫାବୃତ ହୋଇ ରହିଛି । ଅନ୍ୟ ସ୍ଥାନରେ ଶୀତ କମିବାକୁ ଲାଗିଥିବା ବେଳେ ଜାମ୍ମୁକାଶ୍ମୀରରେ ମାଇନସ୍ ଡିଗ୍ରୀ ତାପମାତ୍ରା କାରଣରୁ ଅଧିକାଂଶ ଭାଗ ଏବେ ବରଫ ଚାଦର ତଳେ ରହିଛି । ଫଳରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫବର୍ଷା ଯୋଗୁଁ ଦୁଇ ଦିନ ଧରି ଜାମ୍ମୁ ଶ୍ରୀନଗର ରାଜପଥ ବନ୍ଦ ରହିଛି। ପ୍ରଶାସନ ପକ୍ଷରୁ ବରଫ ହଟାଇବା କାମ ଆରମ୍ଭ କରାଯାଇଥିଲେ ସୁଦ୍ଧା ଲଗାତର ତୁଷାରପାତ ଯୋଗୁଁ ରାସ୍ତା ଖୋଲାଯାଇ ପାରିନାହିଁ । ପ୍ରବଳ ବରଫପାତ ଯୋଗୁଁ ଶ୍ରୀନଗରରେ ଉଡାଣ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚଳିତ ସପ୍ତାହରେ ଆଗକୁ ମଧ୍ୟ ଏପରି ତୁଷାରପାତ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ଲଗାତର ଭାବେ ପାରଦ ଖସିବାକୁ ଲାଗିଛି । ଉଚ୍ଚ ପାହାଡିଆ ଅଂଚଳରେ ବରଫପାତ ହୋଇଥିବା ବେଳେ ତଳିଆ ଅଂଚଳରେ ବର୍ଷା ଲାଗିରହିଛି । ପାହାଡରେ ବରଫବର୍ଷା ଯୋଗୁଁ ଗଛପତ୍ରରେ ବି ବରଫର ମୋଟା ଆସ୍ତରଣରେ ଘୋଡାଇ ହୋଇ ରହିଛି। ହିମାଚଳ ପ୍ରଦେଶର କୁଲ୍ଲୁ ଓ ମଣ୍ଡି ଅଂଚଳରେ ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଯାଇଛି ବରଫପାତ । ଫଳରେ ଘରଦ୍ୱାର, ରାସ୍ତାଘାଟ ସବୁଆଡେ ବରଫ ଚାଦର ଘୋଡାଇ ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଅପରପକ୍ଷରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବର୍ଷା ହୋଇଛି । ଲକ୍ଷ୍ନୌ ଓ ଭୋପାଲରେ ଆଜି ସକାଳୁ ଝିପଝିପ ବର୍ଷା ଲାଗିରହିଛି । ଶୁକ୍ରବାର ଦିନ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ରାଜଧାନୀ ଦିଲ୍ଲୀରେ ବି ଘଡଘଡି ସହ ବର୍ଷା ଆରମ୍ଭ ହୋଇଛି । ଏବେ ପାହାଡିଆ ଅଂଚଳରେ ତୁଷାରପାତ ଲାଗି ରହିଥିବା ବେଳେ ତଳିଆ ଅଂଚଳରେ ବର୍ଷା ହେଉଛି । ଏବେ ଅପେକ୍ଷା କେବେ ପୁଣି ପାଣିପାଗର ମିଜାଜ ବଦଳିବ ଓ ତୁଷାରପାତରୁ ମୁକ୍ତି ମିଳିବ ।

ସମ୍ବନ୍ଧିତ ଖବର