ଥିରୁଅନନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି ସେହି ରାଜ୍ୟର ଜଣେ ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲସୁବ୍ରଣ୍ୟମ୍। ରାଜ୍ୟର ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦୦୦ ଟଙ୍କା ଦାନ କରିଛନ୍ତି। ନିଜର ଦୁଇ ହାତ ହରାଇଛନ୍ତି ଏହି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ। ତାଙ୍କର ଦାନକୁ ନେଇ ଯେତିକି ଚର୍ଚ୍ଚା ହୋଇଛି, ତା’ଠାରୁ ଅଧିକ ଚର୍ଚ୍ଚା ହୋଇଛି ଗୋଡ଼େର ଦାନ ବାବଦ ଚେକ୍କୁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ବଢ଼ାଇ ଦେଉଥିବାର ଫଟୋଚିତ୍ର। ମୁଖ୍ୟମନ୍ତ୍ରୀ ନିଜେ ଏହି ଫଟୋକୁ ଟ୍ବିଟ୍ କରିଛନ୍ତି, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଆଜିଥିଲା ପ୍ରଣବଙ୍କ ୨୧ତମ ଜନ୍ମଦିବସ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦୦୦ ଟଙ୍କା ଦାନ କରି ସେ ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଗତବର୍ଷ କେରଳରେ ଭୟଙ୍କର ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ରିଲିଫ୍ ପାଣ୍ଠି ଗଠନ କରିଥିଲେ। ପ୍ରଣବ କୁହନ୍ତି ଯେ, ‘ ଏହି ପାଣ୍ଠିକୁ ଦାନ କରି ମୁଁ ଆଜି ବହୁତ ଖୁସି। ଭଗବାନ ମୋ ଶରୀରକୁ ଭିନ୍ନ ଭାବେ ଗଢ଼ିଛନ୍ତି। ତେଣୁ ମୁଁ ସବୁବେଳେ ଭିନ୍ନ କିଛି କରିବା ପାଇଁ ଇଚ୍ଛା କରିଥାଏ। ମୁଁ ଏକ ଗରିବ ପରିବାରରୁ ଆସିଥିବାରୁ ଅଧିକ କିଛି କରିବା ସମ୍ଭବପର ବି ନୁହେଁ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ୫୦୦୦ ଟଙ୍କାର ଚେକ୍ ବଢ଼ାଇଲାବେଳେ ୧୦୦୦ କେକ୍ର ସ୍ବାଦ ମୁଁ ଅନୁଭବ କରୁଛି।’
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ମଧ୍ୟ ପ୍ରଣବଙ୍କ ସହ ସାକ୍ଷାତ ଏବଂ ତାଙ୍କର ରିଲିଫ୍ ପାଣ୍ଠି ଦାନକୁ ଟ୍ବିଟ୍ କରି ଜଣାଇଛନ୍ତି। ଏଥିସହିତ, କିଛି ଫଟୋଚିତ୍ର ସଂଲଗ୍ନ କରିଛନ୍ତି ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଚେକ୍ ବଢ଼ାଉଛନ୍ତି, ଗୋଡରେ ସେଲ୍ଫି ନେଉଛନ୍ତି। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ସାକ୍ଷାତ ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ତାଙ୍କ ସରକାର ନେଉଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ପ୍ରଣବ। ପ୍ରକାଶଥାଉକି, ୨୦୧୫ ମସିହାରେ କେରଳ ସରକାର ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଥିଲେ। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଣବଙ୍କର ସାକ୍ଷାତ ସମୟର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।