କେହି ବି ସେନାକୁ ନେଇ ପ୍ରଶ୍ନ କରିନାହାନ୍ତି: ବୟାନକୁ ନେଇ ଏକଘରିକିଆ ହେବା ପରେ ସ୍ୱର ବଦଳାଇଲେ ଦିଗବିଜୟ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଆଜି ସ୍ୱର ବଦଳାଇଛନ୍ତି | ବାସ୍ତବରେ ଦିଗବିଜୟଙ୍କ ବୟାନକୁ କଂଗ୍ରେସ ନେତାମାନେ ମଧ୍ୟ ସମର୍ଥନ କରିନଥିଲେ | ଆଉ ଏହି ଘଟଣା ପରେ ଆଜି ସେ ପୁଣି ଥରେ ଏହି ପ୍ରସଙ୍ଗରେ କିଛି ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ କହିଛନ୍ତି ଯେ ପୁଲୱାମାରେ ୪୦ ଜଣ ସିଆରପିଏଫ ଯବାନଙ୍କ ଜୀବନ କିପରି ଗଲା, ଆତଙ୍କବାଦୀ ୩୦୦ କିଲୋଗ୍ରାମ ଆର୍ଡିଏକ୍ସ କିଭଳି ଆଣିଲେ, ସରକାର ଜବାବ ଦେବା ଉଚିତ | ପୂର୍ବତନ ସେନା ଅଧିକାରୀ ପ୍ରବୀଣ ଡାଭାରଙ୍କ ବାବଦରେ ସୂଚନା ଦେଇ ଦିଗବିଜୟ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଆମର ସଶସ୍ତ୍ର ବାହିନୀକୁ ସର୍ବାଧିକ ସମ୍ମାନ ଦିଏ । ମୋର ଦୁଇ ଭଉଣୀ ନୌସେନା ଅଧିକାରୀଙ୍କୁ ବିବାହ କରିଥିଲେ। ମୁଁ ପ୍ରବୀଣ ଡାଭାରଙ୍କ ସହ ଏକମତ | ପ୍ରତିରକ୍ଷା ଅଧିକାରୀଙ୍କୁ କିଛି ପଚାରିବାର ନାହିଁ। ମୋର ପ୍ରଶ୍ନ କେବଳ ମୋଦୀ ସରକାରଙ୍କ ଉଦ୍ଦେଶ୍ୟରେ ଅଛି |

କଂଗ୍ରେସ ନେତା କହିଛନ୍ତି ଯେ ସରକାର ଏହା କହିବା ଉଚିତ୍ ଯେ ୪୦ ଜଣ ସିଆରପିଏଫ ଯବାନଙ୍କ ଜୀବନ କିପରି ଗଲା ଓ ଆତଙ୍କବାଦୀ ୩୦୦ କିଲୋଗ୍ରାମ ଆର୍ଡିଏକ୍ସ କିଭଳି ଆଣିଲେ? ସେହିପରି ସିଆରପିଏଫ ଯବାନଙ୍କୁ ଏୟାରଲିଫ୍ଟ କରିବା ଅନୁରୋଧକୁ କାହିଁକି ଗ୍ରହଣ କରାଗଲା ନାହିଁ ? ଉଲ୍ଲେଖ ଥାଉ କି ଦିଗବିଜୟ ସିଂହ ସୋମବାର କହିଥିଲେ ଯେ, “ଆମର ୪୦ଜଣ ସିଆରପିଏଫ ଯବାନ ପୁଲୱାମାରେ ସହିଦ ହୋଇଥିଲେ। ସିଆରପିଏଫ ଯବାନଙ୍କୁ ବିମାନରେ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ରାଜି ହୋଇନଥିଲେ। ଅନୁମତି ନମିଳିବା ପରେ ସିଆରପିଏଫ ଯବାନଙ୍କୁ ଗାଡ଼ିରେ ଯିବାକୁ ପଡ଼ିଥିଲା। ଏହା ପରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ କେନ୍ଦ୍ର ଅନେକ ବଡ଼ ବଡ଼ ଦାବି କରୁଥିଲେ ବି ଆଜି ପର୍ଯ୍ୟନ୍ତ ପୁଲୱାମା ଆକ୍ରମଣକୁ ନେଇ କୌଣସି ରିପୋର୍ଟ ସଂସଦରେ ରଖାଯାଇ ନାହିଁ। ସେମାନେ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ନେଇ ମଧ୍ୟ ଦାବି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରମାଣ ଦେଖାଇ ନାହାଁନ୍ତି। ସେମାନେ କେବଳ ମିଛ ପ୍ରଚାର କରୁଛନ୍ତି।” ଏହାକୁ ନେଇ ବିବାଦ ତେଜିବା ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଦିଗବିଜୟ ସିଂ ଯାହା କହିଛନ୍ତି ମୁଁ ତାଙ୍କ ସହ ସହମତ ନୁହେଁ। ମୋର ସେନା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଦେଶର ସେନା ଯାହା ବି କରନ୍ତି, ଦେଶର ଭଲ ପାଇଁ। ସେମାନଙ୍କୁ ଏହାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର