କୋଲକାତା: ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଦୀଘାରେ ପ୍ରତିଷ୍ଠା ହୋଇଛି ନୂଆ ଜଗନ୍ନାଥ ମନ୍ଦିର । ୫ ବର୍ଷ ତଳର ଏହି ସ୍ବପ୍ନର ପ୍ରକଳ୍ପକୁ ସତରେ ରୂପାନ୍ତରିତ କରିଛନ୍ତି ମମତା ସରକାର । ପୁରୀ ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ଦୀଘା ଜଗନ୍ନାଥ ମନ୍ଦିର ଜଗନ୍ନାଥପ୍ରେମୀଙ୍କୁ ଆକର୍ଷିତ କରିବ ବୋଲି ମମତା ବାନାର୍ଜୀ ଆଶା ରଖିଥିବା ବେଳେ ଦୀଘା ବୁଲି ଆସୁଥିବା ପର୍ଯ୍ଯଟକ ଏବେ ଖାଲି ସମୁଦ୍ର ନୁହେଁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବି ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ ।
The emotions I felt during the inauguration of the Jagannath Temple in Digha are beyond words.
— Mamata Banerjee (@MamataOfficial) April 30, 2025
This sacred space belongs to our Ma, Mati, Manush, and has been brought to life through the collective efforts of the HIDCO team, local residents, artists, industrialists, and devotees… pic.twitter.com/Sz3KgSCJWa
ତେବେ ଦୀଘାରେ ନବନିର୍ମିତ ଏହି ମନ୍ଦିରରେ ପୂଜା ପାଉଥିବା ୩ ଠାକୁର କାଠରେ ନୁହେଁ ବରଂ ପଥରରେ ନିର୍ମିତ । ବିଭିନ୍ନ ମନ୍ଦିରରେ ଶ୍ରୀଜିଉ ସାଧାରଣତଃ ଦାରୁରେ ନିର୍ମିତ ହୋଇଥିବା ବେଳେ ଦୀଘାରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୩ ଠାକୁରଙ୍କ ପ୍ରତିମୂର୍ତ୍ତି ରାଜସ୍ଥାନର ଗୋଲାପୀ ବାଲିପଥରରେ ନିର୍ମାଣ କରାଯାଇଛି । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ୨୦ ଏକର ଜମିରେ ପଶ୍ଚିମବଙ୍ଗ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି । ରାଜସ୍ଥାନର ୮୦୦ ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ।
ପଶ୍ଚିମବଙ୍ଗ ଦୀଘାରେ ନିର୍ମିତ ବିରାଟ ଜଗନ୍ନାଥ ମନ୍ଦିରକୁ ଉଦଘାଟନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ଉଦଘାଟନ ହୋଇଛି । ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରି ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ ଏବଂ ପବିତ୍ର ଗର୍ଭଗୃହ ଭଳି କାରୁକାର୍ୟ୍ୟ କରାଯାଇଛି । ମନ୍ଦିର ପ୍ରବେଶ ଦ୍ୱାରରେ ଏକ ଉଚ୍ଚ ୩୪ ଫୁଟର ଲମ୍ବା, ୧୮ ମୁଖା ବିଶିଷ୍ଟ ଅରୁଣ ସ୍ତମ୍ଭ ନିର୍ମାଣ କରାଯାଇଛି । ଏଠାରେ କଳା ପଥରରେ ମୁକୁଟ ପିନ୍ଧିଥିବା ଅରୁଣ ମୂର୍ତ୍ତି ତିଆରି ହୋଇଛି । ମନ୍ଦିରରେ ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତୀଦ୍ୱାର ଏବଂ ଅଶ୍ୱଦ୍ୱାର ପରି ସମାନ ୪ ଦୁଆର କରାଯାଇଛି । ତା ସହିତ ଲକ୍ଷ୍ମୀ ମନ୍ଦିର ଏବଂ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୋଗ ନୈବେଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ପୃଥକ ଭୋଗଶାଳା ମଧ୍ୟ ରହିଛି ।
A moment to be cherished forever.
— Mamata Banerjee (@MamataOfficial) April 30, 2025
The first glimpse of Lord Jagannath enshrined in the Garbhagriha of the Jagannath Temple in Digha will remain etched in my heart.
I felt my spirit stir with the divine radiance emanating from the sacred idol. I had the privilege of performing… pic.twitter.com/EYLaTycYaN
ସେପଟେ ଏହି ମନ୍ଦିରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ‘ଦୀଘା ଜଗନ୍ନାଥ ଧାମ’କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଗନ୍ନାଥ ଧାମ କେଉଁଠି ପୁରୀରେ ନା ଦୀଘାରେ ? ଜଗନ୍ନାଥ ଧାମ କହିଲେ ଆପଣ କଣ ବୁଝନ୍ତି- ପୁରୀ ନା ଦୀଘା ? ସାରା ବିଶ୍ବ ଜାଣିଛି ୪ ଧାମ ଭିତରୁ ଗୋଟିଏ ଧାମ ହେଉଛି ଜଗନ୍ନାଥ ଧାମ । ଦେଶ ବିଦେଶରେ କିଏ ଓଡିଶାକୁ ଜାଣୁ ବା ନଜାଣୁ କିନ୍ତୁ ଜଗନ୍ନାଥ ଧାମ କହିଲେ ସେ ଓଡିଶାକୁ ଜାଣେ, ପୁରୀକୁ ବୁଝେ... କିନ୍ତୁ ଇତିମଧ୍ୟରେ ଦୀଘାକୁ ଜଗନ୍ନାଥ ଧାମ କହିବା ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ବିଜ୍ଞାପନ ଏବଂ ନିମନ୍ତ୍ରଣ ପୋଷ୍ଟରରେ ‘ଦୀଘା ଜଗନ୍ନାଥ ଧାମ’ ଲେଖାଥିବା କଥାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡିଶାର ଜଗନ୍ନାଥପ୍ରେମୀ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ ବୋଲି କହି ‘ଦୀଘା ଜଗନ୍ନାଥ ଧାମ’କୁ ବିରୋଧ କରାଯାଇଛି । ଯାହାର ପ୍ରତିଫଳନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
/sambad/media/media_files/2025/04/30/41lYv2aicVmp6hQhSD70.jpg)
ଜଗନ୍ନାଥ ଓଡିଆଙ୍କ ଆରାଧ୍ୟ ଦେବତା, ସେ ସାରା ଜଗତର ଠାକୁର । ବିଶ୍ବବ୍ୟାପୀ ଜଗନ୍ନାଥ ମନ୍ଦିର ହେଉ... ସବୁଠି ବହୁଳ ମାତ୍ରାରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଉ ଏବଂ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଭକ୍ତିପ୍ରୀତିର ପ୍ରଚାର ପ୍ରସାର କରାଯାଉ ମାତ୍ର ଏହାର ଧାମକୁ ନେଇ ଟଣା ଓଟରା ନହେଉ । ପୁରୀକୁ ହିଁ କେବଳ ଜଗନ୍ନାଥ ଧାମ ବୋଲି କୁହାଯାଉ ବୋଲି ଜଗନ୍ନାଥପ୍ରେମୀମାନେ ଦାବି କରିଥିବା ବେଳେ ରସଗୋଲାର କଥା ଉଠାଇଛନ୍ତି । ବହୁ କଷ୍ଟରେ ରସଗୋଲାକୁ ଆମେ ଆମର କହୁଛେ, ତେଣୁ ଜଗନ୍ନାଥ ଧାମକୁ ଛଡେଇ ନେବାକୁ ଷଡଯନ୍ତ୍ର ନହେଉ ବୋଲି ଯୁବ ଲେଖକ ଦେବବ୍ରତ ଦାସ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ।
ସେହିପରି ଅନ୍ୟଜଣେ ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଚାରି ଧାମର ଇତିହାସ କହି ଜଗନ୍ନାଥ ଧାମ କହିଲେ କେଉଁଠି ବୁଝାଏ ବୋଲି ପ୍ରଶ୍ନ କରି ମମତା ସରକାରଙ୍କ ଏଭଳି ଆଭିମୁଖ୍ୟ ଏବଂ ଖବରକାଗଜରେ ପ୍ରକାଶିତ ବିଜ୍ଞାପନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାର ଘାତ । ତେବେ ଦୀଘା ଜଗନ୍ନାଥ ମନ୍ଦିର ପୁରୀ ଶ୍ରୀମନ୍ଦିରର ଅବିକଳ ନକଲ ବୋଲି କୁହାଯାଉଥିବା କଥାକୁ ସମାଲୋଚନା କରିଛନ୍ତି ଅନ୍ୟ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସବ୍ୟସାଚୀ ଅମିତାଭ । ସେ କହିଛନ୍ତି, ଦୀଘାରେ ନିର୍ମିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ସୁନ୍ଦର ଓ ସୁଉଚ୍ଚ ହୋଇଥାଇପାରେ, ହେଲେ ଏହା କେବେ ବି ପୁରୀ ବଡ଼ଦେଉଳର ଅବିକଳ ନୁହେଁ ।