ହେଲ୍‌ଥଲକର ଭାବେ କାର୍ଯ୍ୟ କରିବ ଡିଜିଲକର

ନୂଆଦିଲ୍ଲୀ : ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ସମ୍ପନ୍ନ କରିଛି। ଡିଜିଲକର ପ୍ଲାଟ୍‌ଫର୍ମ ଏଣିକି ହେଲ୍‌ଥଲକର ଭାବେ କାର୍ଯ୍ୟ କରିବ। ଏଥିରେ ଚିକିତ୍ସକଙ୍କ ଦ୍ୱାରା ଲିଖିତ ପ୍ରେସ୍‌କ୍ରିପସନ, ଟିକାକରଣ ରେକର୍ଡ, ପରୀକ୍ଷାଗାର ବିବରଣୀ ଏବଂ ହସ୍‌ପିଟାଲରୁ ମିଳିଥିବା ସବିଶେଷ ବିବରଣୀ ରଖାଯାଇପାରିବ।

ଡିଜିଲକର ପୂର୍ବରୁ ଏବିଡିଏମ୍ ସହ ଏହାର ପ୍ରଥମ ପର୍ଯ୍ୟାୟ ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସାରିଥିବାବେଳେ, ଏବିଏଚ୍‌ଏମ୍‌ ବା ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ସୁବିଧା ୧୩ କୋଟି ବ୍ୟବହାରକାରୀଙ୍କୁ ଯୋଡ଼ିଛି। ଏଣିକି ଡିଜିଲକର ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଅଭିଲେଖ (ବିଏଚ୍‌ଆର) ଆପ୍ ଭାବେ କାର୍ଯ୍ୟ କରିବ। ଏଥିସହ ଏବିଏସ୍‌ଏ-ଧାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ପଞ୍ଜୀକୃତ ବିଭିନ୍ନ ଏବିଡିଏମ୍ ସୁବିଧା ଥିବା ହସ୍‌ପିଟାଲ ଲ୍ୟାବ୍ ସହ ସଂଯୋଗ କରି ତାହାକୁ ଡିଜିଲକର ଜରିଆରେ ଦେଖିପାରିବେ। ବ୍ୟବହାରକାରୀମାନେ ମଧ୍ୟ ସେମାନଙ୍କ ପୁରୁଣା ସ୍ୱାସ୍ଥ୍ୟ ବିବରଣୀ ନଥିକୁ ସ୍କାନ୍ କରି ଏହି ଆପ୍‌ରେ ଅପ୍‌ଲୋଡ କରିପାରିବେ। ଏହାଛଡା ସେମାନେ ବଛାବଛା ରେକର୍ଡ ଏବିଡିଏମ୍ ପଞ୍ଜୀକୃତ ପେସାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ସେୟାର କରିପାରିବେ।

ବ୍ୟବହାରକାରୀଙ୍କ ନିମନ୍ତେ ଏହି ସମ୍ମିଶ୍ରଣର ସୁବିଧା ଉପରେ ଆଲୋକପାତ କରି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏମ୍‌)ର ସିଇଓ ଡକ୍ଟର ଆର.ଏସ୍. ଶର୍ମା କହିଛନ୍ତି ଯେ, ଏବିଡିଏମ୍ ଅଧୀନରେ ଏକ ଆନ୍ତଃପରିଚାଳିତ ସ୍ୱାସ୍ଥ୍ୟ ବାତାବରଣ ତିଆରି କରାଯାଇଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ଅଂଶୀଦାରଙ୍କ ଆବେଦନପତ୍ର ଏବିଡିଏମ୍ ସହ ସମ୍ମିଶ୍ରଣ ହୋଇ ଅଧିକ ବ୍ୟବହାରକାରୀଙ୍କ ନିକଟରେ ଯୋଜନା ତଥ୍ୟ ପହଞ୍ଚାଇବ। ଡିଜିଲକର ବୈଧ ନଥିପତ୍ର ସମ୍ପର୍କରେ ଜାଣିବା ପାଇଁ ଏକ ବିଶ୍ୱସ୍ତ ଓ ଲୋକପ୍ରିୟ ଆପ୍। ସେ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବ୍ୟବହାରକାରୀମାନେ ଏଣିକି ଏହାକୁ ପିଏଚ୍‌ଆର୍‌ ଆପ୍‌ଭାବେ ବ୍ୟବହାର କରି ସମସ୍ତ କାଗଜବିହୀନ ରେକର୍ଡ ରଖିବାର ସୁବିଧା ପାଇପାରିବେ। ଡିଜି ଲକରର ସମସ୍ତ ପଞ୍ଜୀକୃତ ବ୍ୟବହାରକାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟଲକର ସେବା ଏଣିକି ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର