ନୂଆଦିଲ୍ଲୀ: ଡିଜିଟାଲ ଆକ୍ସେସ୍ ଏକ ମୌଳିକ ଅଧିକାର ବୋଲି ସୁପ୍ରିମ୍କୋର୍ଟ ବୁଧବାର ରାୟ ଦେଇଛନ୍ତି ଏବଂ ଆଖିରେ ଆଘାତ ପାଇଥିବା ଏସିଡ୍ ଆକ୍ରମଣ ପୀଡ଼ିତା ଏବଂ ଦୃଷ୍ଟି ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିମାନଙ୍କ ପାଇଁ ନୋ-ୟୋର-କଷ୍ଟମର୍ (କେୱାଇସି) ପ୍ରକ୍ରିୟାକୁ ସହଜ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଟି ଜନସ୍ୱାର୍ଥ ମାମଲା ଉପରେ ରାୟ ଶୁଣାଇବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ସରକାର ନିଶ୍ଚିତ କରିବା ଉଚିତ ଯେ କେୱାଇସି ଭଳି ଡିଜିଟାଲ ପ୍ରକ୍ରିୟା ଯେପରି ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ଯେଉଁଥିରେ ବିକୃତ ଚେହେରା କିମ୍ବା ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୧ (ଜୀବନ ଓ ସ୍ୱାଧୀନତାର ଅଧିକାର), ୧୪ (ସମାନତାର ଅଧିକାର) ଓ ୧୫ (ଭେଦଭାବ ବିରୋଧରେ ସୁରକ୍ଷା) ଏହି ଅଧିକାରକୁ ସୁନିଶ୍ଚିତ କରୁଛି ବୋଲି କୋର୍ଟ କହିଛନ୍ତି। ଡିଜିଟାଲ ଆକସେସ୍ ଅଧିକାର ଧାରା ୨୧ ଅନୁଯାୟୀ ବଞ୍ଚିବା ଅଧିକାରର ଏକ ଅନ୍ତର୍ନିହିତ ଉପାଦାନ ବୋଲି ଅଦାଲତ କହିଛନ୍ତି। କୋର୍ଟ କହିଛନ୍ତି, ଭିନ୍ନକ୍ଷମଙ୍କ ପାଇଁ କେୱାଇସି ପ୍ରକ୍ରିୟାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଆମେ ମତ ଦେଇଛୁ। ଆମେ ୨୦ଟି ନିର୍ଦ୍ଦେଶ ଦେଇଛୁ। ଏସିଡ୍ ଆକ୍ରମଣ ଓ ଅନ୍ଧତ୍ୱର ଶିକାର ହୋଇଥିବା ଆବେଦନକାରୀମାନେ ଚେହେରା ବିକୃତ ହେବା କାରଣରୁ କେୱାଇସି ପ୍ରକ୍ରିୟା ଶେଷ କରିପାରୁନାହାନ୍ତି ବୋଲି କୋର୍ଟ କହିଛନ୍ତି।
ଜଣେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ଆଖି ଖରାପ ହେବା ସହ ମୁହଁ ବିକୃତ ହୋଇଯାଇଥିଲା। ପୀଡ଼ିତା ଜଣକ ଜୁଲାଇ ୨୦୨୩ରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ। ତେବେ ଆଖି ପତା ପକାଇ ଓ ଖୋଲି ଲାଇଭ୍ ଫଟୋ ଉଠାଇବାର ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାଙ୍କର ଜିଦ୍ ଯୋଗୁଁ ସେ ଡିଜିଟାଲ କେୱାଇସି/ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ବୋଲି ବିବେଚନା କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ କେୱାଇସି ପ୍ରକ୍ରିୟା ଅଧୀନରେ ଗ୍ରାହକ ‘ଜୀବନ୍ତ ଥିବାର’ ପ୍ରମାଣ କରିବାର ବାଧ୍ୟତାମୂଳକ ଆବଶ୍ୟକତା କେବଳ କ୍ୟାମେରା ସାମ୍ନାରେ ଆଖି ମିଟିକା ମାରିବା ପରେ ହିଁ ପୂରଣ ହୋଇପାରିବ ବୋଲି ପିଟିସନରେ ଦର୍ଶାଯାଇଛି। ପରେ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ହଟ୍ଟଗୋଳ ହେବାରୁ ବ୍ୟାଙ୍କ ଆବେଦନକାରୀଙ୍କ ପାଇଁ ବ୍ୟତିକ୍ରମ କରିଥିଲା।