ଚଳିତ ବର୍ଷ ଆରମ୍ଭରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୪ ଲକ୍ଷ ଟଙ୍କା ହରେଇଥିଲେ। ସାଇବର ଠକ ତାଙ୍କୁ ପ୍ରାୟ ୪ ଦିନ ଧରି ଡିଜିଟାଲ ଆରେଷ୍ଟ କରି ଟଙ୍କା ଲୁଟିନେଇଥିଲା । ସେହିପରି ଆଉ ଏକ ଘଟଣାରେ ଚଳିତ ବର୍ଷ ମେ ମାସରେ କୋଲକାତାର ଜଣେ ବୃଦ୍ଧାଙ୍କୁ ରାଉରକେଲାର ଦୁଇଭାଇ ଡିଜିଟାଲ ଆରେଷ୍ଟ କରି ୪୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଗତ ଅଗଷ୍ଟ ମାସରେ କମିସନରେଟ ପୁଲିସ ଡିଜିଟାଲ ଆରେଷ୍ଟ କରି ଲୋକଙ୍କୁ ଠକୁଥିବା ୩ ଜଣ ଠକଙ୍କୁ ଗିରଫ କରିଥିଲା ।
ଏପରି ପ୍ରାୟ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ଅଂଚଳରୁ ଡିଜିଟାଲ ଆରେଷ୍ଟ ମାମଲା ସାମନାକୁ ଆସୁଛି । ସରକାର, ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏ ନେଇ ଲୋକମାନଙ୍କୁ ସତର୍କ କରିଥିବାବେଳେ ଏପରି ମାମଲା କମିବାର ନାଁ ଧରୁ ନାହିଁ । କେବଳ ଭାରତ ନୁହେଁ, ସାରା ବିଶ୍ବରେ ଏପରି ମାମଲା ବଢିବାର ଲାଗିଛି । ଏପରିକି ଖୋଦ ପୁଲିସ ଓ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଠକେଇର ଶିକାର ହେଉଛନ୍ତି ।
କ’ଣ ଏହି ଡିଜିଟାଲ ଆରେଷ୍ଟ ?
ଡିଜିଟାଲ ଆରେଷ୍ଟ ବା ଡିଜିଟାଲ ଗିରଫ ଅର୍ଥାତ୍ ସେହି ପ୍ରକାର ଠକେଇ ଯେଉଁଥିରେ ଅପରାଧୀମାନେ ନିଜକୁ ପୁଲିସ ଅଧିକାରୀ, ଏଜେନ୍ସି ଅଧିକାରୀ କିମ୍ବା ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଫୋନ କିମ୍ବା ଭିଡିଓ କଲ ମାଧ୍ୟମରେ ଲୋକମାନଙ୍କୁ ଭୟଭୀତ କରନ୍ତି। ସେମାନେ କହନ୍ତି ଯେ ଆପଣଙ୍କ ନାମରେ ଏକ ଅପରାଧ ମାମଲା ରେଜିଷ୍ଟର ହୋଇଛି ଓ ଆପଣଙ୍କୁ “ଡିଜିଟାଲ ଭାବେ ଗିରଫ” କରାଯାଉଛି। ଏହିପରି ଭାବେ ସେମାନେ ଘଣ୍ଟା ଘଣ୍ଟା ଧରି, ଏପରିକି କିଛିଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭିଡିଓ କଲ ସାମନାରେ ଅଟକାଇ ରଖନ୍ତି ।
ଠକେଇର ଉପାୟ
ଏହି ଠକେଇକାରୀମାନେ ବେଳେବେଳେ ଭିଡିଓ କଲ ଦ୍ୱାରା “ଫେକ ପୁଲିସ ଅଫିସ୍” ପୃଷ୍ଠଭୂମି ଦେଖାନ୍ତି, କିମ୍ବା ଜାଲ୍ ଆଇଡି କାର୍ଡ ଦେଖାଇ ବିଶ୍ୱାସ ସୃଷ୍ଟିକରନ୍ତି। ପରେ ସେମାନେ କହନ୍ତି ଯେ ଆପଣ ଯଦି ତୁରନ୍ତ ଟଙ୍କା ଦେଇ ଜରିମାନା ଦେଇଦିଅନ୍ତି, ତେବେ ଗିରଫ ହେବା ଟଳିଯିବ। ଏପରି ଭୟ ଓ ଆତଙ୍କ ମଧ୍ୟରେ ଅନେକ ଲୋକ ନିଜେ ଟଙ୍କା ପଠାଇଦିଅନ୍ତି।
କାହିଁକି ଲୋକ ଫସୁଛନ୍ତି?
ଠକେଇର ଶିକାର ହେଉଥିବା ଅଧିକାଂଶ ଲୋକ ସାଧାରଣ ନାଗରିକ, ଯେଉଁମାନଙ୍କର ଆଇନ ସଂପର୍କରେ ଅଜ୍ଞ । ପୁଣି ପୁଲିସ, ତଦନ୍ତକାରୀ ସଂସ୍ଥା, ଇଡି, ଆୟକର ଅଧିକାରୀମାନଙ୍କ ପ୍ରତି ଲୋକମାନଙ୍କ ଅବଚେତନ ମନରେ କିଛିଟା ଭୟ ଥାଏ । ଏହାର ଫାଇଦା ଉଠାନ୍ତି ଠକ । ପୁଣି ଡିଜିଟାଲ ମାଧ୍ୟମରେ ପୋଲିସ ଗିରଫ ଭଳି ଧାରଣା ନୂତନ ଥିବାରୁ ଅନେକେ ସେଥିରେ ବିଶ୍ୱାସ କରିଦେଉଛନ୍ତି।
ସତର୍କ ହେବାର ଉପାୟ
ପୁଲିସ କିମ୍ବା ସରକାରୀ ଏଜେନ୍ସି କେବେ ଫୋନ, ହ୍ବାଟ୍ସଆପ୍ କିମ୍ବା ଭିଡିଓ କଲ ମାଧ୍ୟମରେ ଗିରଫ କରନ୍ତି ନାହିଁ।
ଯଦି ଏପରି କଲ ଆସେ, ତୁରନ୍ତ ସେ କଲ ବନ୍ଦ କରନ୍ତୁ ଓ ୧୯୩୦ (ସାଇବର ହେଲ୍ପଲାଇନ) ନମ୍ବରରେ ଅଭିଯୋଗ କରନ୍ତୁ। କେବେ ମଧ୍ୟ ଅଜଣା ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ନାହିଁ। ଭିଡିଓ କଲରେ ପରିଚୟ ଦେଉଥିବା ଲୋକଙ୍କୁ ତୁରନ୍ତ ବିଶ୍ବାସ କରନ୍ତୁ ନାହିଁ।