ଗାନ୍ଧୀନଗର: ଏକ ଡିଜିଟାଲ୍‌ ଆରେଷ୍ଟ୍‌ ସ୍କାମ୍‌ରେ ଅହମଦାବାଦର ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ୧.୨ କୋଟି ଟଙ୍କା ଲୁଟ୍‌ ହୋଇଛି।  ନିଜକୁ  ଜଣେ ମୁଖ୍ୟ ବିଚାରପତି, ପୁଲିସ ଅଫିସର, ସିବିଆଇ ଅଫିସର ଦର୍ଶାଇ ୪ ଜଣ ବ୍ୟକ୍ତି ଜଣେ ବୃଦ୍ଧ ବ୍ୟକ୍ତିଙ୍କଠାରୁ ଲୁଟ୍‌ କରିଛନ୍ତି। ଅହମଦାବାଦ ସାଇବାର୍‌ ଅପରାଧ ଶାଖା ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୧୦ ତାରିଖରେ ବୟସ୍କ ବ୍ୟକ୍ତି ଜଣଙ୍କ ଏକ ଭିଡିଓ କଲ୍‌ ରିସିଭ୍‌ କରିଥିଲେ। ସେମାନେ ବୟସ୍କ ବ୍ୟକ୍ତିଙ୍କୁ କହିଥିଲେ ଯେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏକ ମନି ଲଣ୍ଡରିଂ ମାମଲାରେ ଜଡ଼ିତ।  ତାଙ୍କ ଆକାଉଣ୍ଟ୍‌ରୁ ୨ କୋଟି ଟଙ୍କାର କାରବାର ହୋଇଥିବା ସେମାନେ ଦର୍ଶାଇଥିଲେ। ଏହି ମାମଲାରେ ସେ ୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିପାରନ୍ତି ବୋଲି ସେମାନେ ଭୟ ଦେଖାଇଥିଲେ।  ଏହାପରେ ସେମାନେ ବୟସ୍କ ବ୍ୟକ୍ତିଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ।

Advertisment

ଯଦି ସେ ଏକ ଲିଖିତ ଅନୁରୋଧ କରିବେ ତେବେ ସେମାନେ ସୁପ୍ରିମ୍‌କାର୍ଟରେ ଏନେଇ ଆବେଦନ କରି ତାଙ୍କ ଗିରଫକୁ ଅଟକାଇପାରିବେ ବୋଲି କହିଥିଲେ। ଏହାପରେ ସେମାନେ ଏକ ଭିଡିଓ କଲ୍‌ ଦ୍ବାରା ‘ଡିଜିଟାଲ୍‌ ଇନ୍‌ଭେଷ୍ଟିଗେସନ୍‌’ ପାଇଁ କହିଥିଲେ।  ଏହି ସମୟରେ ସେମାନେ ଲଗାତାର ତାଙ୍କୁ ନିରୀକ୍ଷଣରେ ରଖିଥିଲେ। ତଦନ୍ତର ଆଳ ଦର୍ଶାଇ ଅଭିଯୁକ୍ତମାନେ ତାଙ୍କୁ ତାଙ୍କ ସ୍ଥାୟୀ ଜମା (ଏଫ୍‌ଡି) ଭାଙ୍ଗିବାପାଇଁ ଚାପ ପକାଇଥିଲେ। ଯାଞ୍ଚ ପାଇଁ ସେମାନେ ତାଙ୍କୁ ଟଙ୍କା ପଠାଇବାପାଇଁ କହିଥିଲେ  ଏବଂ ୪୮ ଘଣ୍ଟା ମଧ୍ୟ‌ରେ ଏହି ଟଙ୍କା ଫେରସ୍ତ ଦେବାପାଇଁ କହିଥିଲେ। ସେମାନଙ୍କ ଦାବିକୁ ଅଧିକୁ ସୁଦୃଢ଼ କରିବାପାଇଁ ସେମାନେ ଏକ ନକଲି ସୁପ୍ରିମକୋର୍ଟ ସାର୍ଟିଫିକେଟ୍‌ ଦେଖାଇଥିଲେ। କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଟଙ୍କା ପଠାଇବାପରେ ଅଭିଯୁକ୍ତମାନେ ତାଙ୍କ ସହ ସବୁ ଯୋଗାଯୋଗ ବିଚ୍ଛିନ୍ନ କରିଦେଲେ।  ଏହାପରେ ବୃଦ୍ଧ ଜଣଙ୍କ ଜାଣିପାରିଥିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି।  ଏନେଇ ସେ ସାଇବର ଅପରାଧ ଶାଖାରେ ଅଭିଯୋଗ କରିଥିଲେ।  ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହେବାପରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।  ଗିରଫ  ୪ ଜଣ  ହେଉଛନ୍ତି ମହମ୍ମଦ ହୁସେନ ଜାଭେଦ ଅଲି, ତରୁଣ ସିଂହ ବଘେଲା, ବ୍ରିଜେଶ ପରେଖ ଏବଂ ଶୁଭମ୍‌ ଠାକର।