ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବା ପ୍ରସାରିତ ହେବାକୁ ଯାଉଛି : ଏନ୍ଏଚ୍ଏ

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) ଅନ୍ତର୍ଗତ ହେଲ୍ଥ ଫାସିଲିଟି ରେଜିଷ୍ଟ୍ରି (ଏଚ୍‌ଏଫ୍ଆର୍)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର ସଂଯୁକ୍ତ ହୋଇଛନ୍ତି। ଏହା ଦେଶରେ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବାକୁ ପ୍ରସାରିତ କରିବାରେ ସହାୟକ ହେବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚ୍ଏ) ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ। ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫାସିଲିଟି ରେଜିଷ୍ଟ୍ରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ସେଗୁଡିକୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡାଯାଉଛି। ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ହସ୍ପିଟାଲ, କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ଓ ଇମେଜିଂ ସେଣ୍ଟର ଆଦି ଅନ୍ତର୍ଭୁକ୍ତ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶରେ ଏକ ପୂର୍ଣ୍ଣାଙ୍ଗ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଲକ୍ଷ୍ୟରେ କାମ କରୁଛି। ଏହି ପ୍ଳାଟ୍‌ଫର୍ମରେ ସମସ୍ତ ତଥ୍ୟ ଯେପରି ନିର୍ବିଘ୍ନରେ ଜନସାଧାରଣ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃକ୍ରିୟା (ଇଣ୍ଟର-ଅପରେବିଲିଟି)କୁ ସହଜ କରିବ। ଏହା ମାଧ୍ୟମରେ ଚିକିତ୍ସା ସୁବିଧା, ଚିକିତ୍ସା କେନ୍ଦ୍ର, ରୋଗୀ ଓ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ବିଷୟରେ ସବିଶେଷ ତଥ୍ୟ ସହଜରେ ମିଳିପାରିବ। ଏଚ୍ଏଫ୍ଆର୍‌ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଏନ୍ଏଚ୍‌ଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଆର୍‌.ଏସ୍‌. ଶର୍ମା କହିଛନ୍ତି- “ଆମର ଲକ୍ଷ୍ୟ ହେଲା ଏକ ବିଶ୍ୱସନୀୟ ଜାତୀୟ ପ୍ଳାଟ୍‌ଫର୍ମ ତିଆରି କରିବା, ଯେଉଁଠୁ ରୋଗୀ ପଞ୍ଜୀକୃତ ଚିକିତ୍ସିକ, ଚିକିତ୍ସା ସୁବିଧା ଓ କେନ୍ଦ୍ର ସମ୍ପର୍କରେ ସୂଚନା ପାଇପାରିବେ।” ସେ ଆହୁରି କହିଛନ୍ତି ଯେ ରୋଗୀ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବିଶେଷଜ୍ଞ ଓ ପେସାଦାରଙ୍କ ପାଇଁ ରେଜିଷ୍ଟ୍ରିରେ ‘ଆଭା’ ନମ୍ବରର ବ୍ୟବସ୍ଥା କରାଯାଇଛି। ରୋଗୀ ଏହି ନମ୍ବର ମାଧ୍ୟମରେ ଚିକିତ୍ସକ, ନର୍ସ ଓ ପାରାମେଡିକାଲ କର୍ମୀ ତଥା ପେସାଦାରଙ୍କ ସହିତ ଯୋଗାଯୋଗ କରିପାରିବେ। ଏହି ଜାତୀୟ ରେଜିଷ୍ଟ୍ରି ଦେଶରେ ଉନ୍ନତମାନର ଚିକିତ୍ସା ସୁବିଧା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ ବୋଲି ଡକ୍ଟର ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର