ନୂଆଦିଲ୍ଲୀ/ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଅବକାରୀ ବିଭାଗକୁ ‘ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାରକୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅବକାରୀ ଆୟୁକ୍ତ ଆଶୀଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଥିଲେ। ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଓଡ଼ିଶା ସରକାରଙ୍କ ୫ଟି ସୂଚନା ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ରୁ ଅଧିକ ଅନଲାଇନ୍ ପରିମାପକ ଉପଯୋଗ କରି ସ୍ୱଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବଚ୍ଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଯୋଗାଇ ଆସୁଛି। ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଓ ଏହାର କାର୍ଯ୍ୟକାରିତାକୁ ମଜଭୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ, ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଛି।
ସୂଚନା ଅନୁସାରେ ଗତ ବର୍ଷ ଡିସେମ୍ବର ସୁଦ୍ଧା ୨୯ ହଜାର ୩୮ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫ ହଜାର ୫୪୧ଟି ମାମଲା ରୁଜୁ ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫୬% ଅଧିକ। ସେହି ଭଳି ଗତ ବର୍ଷ ଡିସେମ୍ବର ସୁଦ୍ଧା ଏନ୍ଡିପିଏସ୍ ଆଇନରେ ୧୩୧୦ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ଟି ମକଦ୍ଦମା ରୁଜୁ ହୋଇଛି। ଚଳିତ ବର୍ଷ ଅବକାରୀ ରାଜସ୍ବ ୬୧୯୭.୫୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତ ବର୍ଷ ଏହା ଥିଲା ୫୦୨୩.୯୨ କୋଟି ଟଙ୍କା। ଯାହାକି ୨୩.୩୬% ଅଧିକ। ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଓଡ଼ିଶା ଅବକାରୀ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯିବା ସହ ଏହାକୁ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତରଦାୟୀ କରାଯାଉଛି।