ଉଜ୍ଜୟିନୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଶ୍ରୀ ମହାକାଳଙ୍କୁ ଦର୍ଶନ କରିଛନ୍ତି | ଏହାପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ସାମ୍ବାଦିକମାନେ ତାଙ୍କୁ ମହାକାଳଙ୍କଠାରେ କଣ ପ୍ରାର୍ଥନା କଲେ ବୋଲି ପଚାରିବାରୁ ସିଂ କହିଛନ୍ତି, "ହେ ମହାକାଳ, କଂଗ୍ରେସରେ ଆଉ କୌଣସି ଜ୍ୟୋତିରାଦିତ୍ୟ ସିନ୍ଧିଆ ଜନ୍ମ ନ ହୁଅନ୍ତୁ' | ଉଲ୍ଲେଖ ଥାଉ କି କମଲ ନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଡିସେମ୍ବର ୨୦୧୮ରେ କ୍ଷମତାକୁ ଆସିଥିଲା | କିନ୍ତୁ ମାର୍ଚ୍ଚ ୨୦୨୦ରେ ସିନ୍ଧିଆଙ୍କ ଗୋଷ୍ଠୀର ୨୨ ଜଣ ବିଧାୟକଙ୍କ ବିଦ୍ରୋହ ଯୋଗୁଁ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା |
ଏହାପରେ ସିନ୍ଧିଆ ଏବଂ ତାଙ୍କର ବିଶ୍ୱସ୍ତ ବିଧାୟକମାନେ ବିଜେପିରେ ଯୋଗ ଦେଇଥିଲେ। ସିନ୍ଧିଆ ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବାବେଳେ ମଧ୍ୟପ୍ରଦେଶରେ ଏବେ ବିଜେପି ସରକାର ଅଛି । ପ୍ରକାଶ ଥାଉକି, ଦିଗବିଜୟ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧିଆ ଟୁଇଟ୍ କରି କହିଛନ୍ତି, “ହେ ପ୍ରଭୁ ମହାକାଳ, ଦୟାକରି ମଧ୍ୟପ୍ରଦେଶରେ ଦେଶ ବିରୋଧୀ ଏବଂ ବିଭାଜନକାରୀ ଦିଗବିଜୟ ସିଂଙ୍କ ଭଳି ନେତା ଭାରତରେ ଜନ୍ମ ନ ହୁଅନ୍ତୁ ।”
ଦିଗବିଜୟ କହିଛନ୍ତି ଯେ ବର୍ଷ ଶେଷ ଆଡକୁ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ଏଥର ଏହିପରି ପ୍ରାର୍ଥୀମାନଙ୍କୁ ଚୟନ କରିବ, ଯେଉଁମାନେ ଲୋଭରେ ପଡି ଦଳ ପରିବର୍ତ୍ତନ କରିବେ ନାହିଁ | ସେହିପରି ଦିଗବିଜୟ ମନ୍ଦିରରେ ଆଦାୟ କରାଯାଉଥିବା ଶୁଳ୍କକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଭସ୍ମ ଆରତୀ ପାଇଁ ୨୦୦ ଟଙ୍କା, ଜଳାଭିଷେକ ପାଇଁ ୭୫୦ ଟଙ୍କା ଏବଂ ଦର୍ଶନ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ଦିଗବିଜୟ ତୀବ୍ର ବିରୋଧ କରିଛନ୍ତି |