ନୂଆଦିଲ୍ଲୀ : ଗତକାଲି ଜାତିସଂଘର ସୁରକ୍ଷା ପରିଷଦ ଜୈସ୍-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଏହି ଘୋଷଣା ହେବା ପରେ ସାରା ଭାରତବାସୀ ଖୁସିଥିବା ବେଳେ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ବିଶେଷ ଖୁସି ନଥିବା ତାଙ୍କ ବୟାନରୁ ଜଣା ପଡ଼ିଛି । ଏହି ଘୋଷଣା ପରେ ସେ ସବୁଥର ଭଳି ଏଥର ମଧ୍ୟ ମୋଦୀଙ୍କୁ କଟାକ୍ଷ କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ଯଦି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ଧୁତାର କଥା କହୁଛନ୍ତି, ତେବେ ଏ ମଧ୍ୟରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ହେବା ଦ୍ୱାରା ଭାରତକୁ କିଛି ଲାଭ ମିଳିବନି । ଏସବୁ ନକରି, ଦାଉଦ୍ ଆବ୍ରାହିମ୍, ମାସୁଦ ଆଝାର ଏବଂ ହାଫିଜ ସଇଦ୍କୁ ଭାରତକୁ ହସ୍ତାନ୍ତର କରି ଦେବା ଦରକାର ବୋଲି କହିଛନ୍ତି ଦିଗ୍ବିଜୟ ।