ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ‌ ଦେବା ସମୟରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଆଜି ତଳେ ପଡ଼ି ଯାଇଛନ୍ତି। ମଧ୍ୟପ୍ରଦେଶ ଖରଗୋନ୍‌ ଜିଲ୍ଲାର ବରୱା ନିକଟରେ ଦିଗ୍‌ବିଜୟ ଆଜି ଚାଲିବା ସମୟରେ ପଡ଼ିଯାଇଥିଲେ ତେବେ କଂଗ୍ରେସ ଏଥିପାଇଁ ମଧ୍ୟପ୍ରଦେଶର ଖରାପ ରାସ୍ତାକୁ ଦାୟୀ କରିଛି। ଏହି କାରଣକୁ ନେଇ ଆଜି କଂଗ୍ରେସ ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି। ଭାରତ ଯୋଡ଼ୋ ଯାତ୍ରାରେ କିଛି ସମୟ ଚା ବିରତି ହୋଇଥିବା ବେଳେ ଦିଗ୍‌ବିଜୟ ରାସ୍ତାପାର୍ଶ୍ବରେ ଥିବା ଏକ ରେସ୍ତୋରାଁକୁ ଯାଉଥିଲେ ଏବଂ ଏହି ସମୟରେ ସେ ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ କଂଗ୍ରେସ କର୍ମୀମାନେ ତାଙ୍କୁ ଉଠାଇ ନେଇଥିଲେ। ଏହାକୁ ମିଶାଇ ଦିଗ୍‌ବିଜୟ ଭାରତ ଯୋଡ଼ୋ ଯାତ୍ରା ସମୟରେ ୪ ଥର ପଡ଼ିଲେଣି। ତେବେ କଂଗ୍ରେସ ଅଭିଯୋଗ ଅନୁଯାୟୀ ଦିଗ୍‌ବିଜୟ ଖରାପ ରାସ୍ତା ପାଇଁ ପଡ଼ି ଯାଇଛନ୍ତି।

Advertisment

ବିଜେପିକୁ କଟାକ୍ଷ କରି କଂଗ୍ରେସ ନେତା ଜୟରାମ ରମେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ଏକ ପୁରୁଣା ବିବୃତିକୁ ମନେ ପକାଇ ଦେଇଛନ୍ତି। ରମେଶ କହିଛନ୍ତି, ମଧ୍ୟପ୍ରଦେଶ ରାସ୍ତା ଆମେରିକାର ୱାସିଂଟନ୍‌ ଡିସିଠାରୁ ଭଲ ବୋଲି ଚୌହାନ ଦାବି କରିଥିଲେ। କିନ୍ତୁ ମଧ୍ୟପ୍ରଦେଶ ରାସ୍ତା ହେଉଛି ମୃତ୍ୟୁ ରାସ୍ତା। ‌ତେବେ କଂଗ୍ରେସକୁ କଡ଼ା ଜବାବ ଦେଇ ବିଜେପି ନେତା ନରେନ୍ଦ୍ର ସାଲୁଜା ଏହି ଘଟଣାର ଏକ ଭିଡିଓ ଟ୍ବିଟ୍‌ କରି କହିଛନ୍ତି, ଖରାପ ରାସ୍ତା ନୁହେଁ ବରଂ କଂଗ୍ରେସ କର୍ମୀଙ୍କ ଠେଲାପେଲା ଯୋଗୁଁ ରାଜ୍ୟସଭା ସାଂସଦ ତଳେ ପଡ଼ି ଯାଇଛନ୍ତି।