ନୂଆଦିଲ୍ଲୀ: ଗେହଲଟ ଓ ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦିଗବିଜୟ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ‌ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ପୂର୍ବରୁ ଏହି କଂଗ୍ରେସ ସଭାପତି ଦୌଡରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବା ବେଳେ ଏବେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଦୌଡରେ ସାମିଲ ହୋଇଛନ୍ତି। ଥରୁରଙ୍କ ପରେ ଦିଗବିଜୟ ସଭାପତି ପଦ ପାଇଁ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ବିଶେଷ ସୂତ୍ରରୁ ସୂଚନା ପାଇଁ ଖବର ପ୍ରକାଶ କରିଛି। ସେପ୍ଟେମ୍ବର ୩୦ରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ‌ବୋଲି ଖବରରେ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ୨୦୧୯ରେ ବିଧାନସଭା ନିର୍ବାଚନରେ ଦଳ କ୍ରମାଗତ ଦ୍ୱିତୀୟ ଥର ପରାଜୟ ହେବା ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗାନ୍ଧି ପରିବାରରୁ କେହି ଏଥର ନିର୍ବାଚନରେ ପ୍ରାର୍ଥୀ ହେଉନଥିବାରୁ ଦୀର୍ଘ ୨ ଦଶନ୍ଧି ପରେ କଂଗ୍ରେସକୁ ଜଣେ ଅଣ ଗାନ୍ଧି ସଭାପତି ମିଳିବ। ଅକ୍ଟୋବର ୮ ତାରିଖରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଆସିବ। ନିର୍ବାଚନରେ ୯ ହଜାରରୁ ଅଧିକ ପିସିସି ପ୍ରତିନିଧି ଭୋଟ୍‌ ଦେବେ ।