ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି: ସିବିଆଇ ଅଦାଲତରୁ ମିଳିଲା ଜାମିନ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ତାଙ୍କୁ ଜାମିନ ମିଳିଛି। ଦିଲୀପ ରାୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମଧ୍ୟ ଜାମିନ ମିଳିଥିବା ଜଣାଯାଇଛି। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ବେଲବଣ୍ଡରେ ଦିଲୀପ ରାୟଙ୍କୁ ଜାମିନ ମିଳିଥିବା ଜଣାଯାଇଛି।

୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି ।  ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।

ଏହି ମାମଲାରେ ଅଦାଲତ କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ମାଲିକାନାରେ ଥିବା ଦୁଇ କମ୍ପାନି ସିଟିଏଲ୍ ଓ ସିଏମଏଲକୁ ଯଥାକ୍ରମେ ୬୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ, କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଆଇପିସିର ଦଫା ୧୨୦(ଖ), ୪୨୦ ଓ ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ।

ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ଅକ୍ଟୋବର ୨୬ରେ କୋଭିଡ ନିୟମ ପାଳନ ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର