ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି, ୩ ବର୍ଷର ଜେଲଦଣ୍ଡ ସସପେଣ୍ଡ୍

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜି ଏକ ବଡ଼ ଧରଣର ଆଶ୍ବସ୍ତି ମିଳିଛି। ଗତକାଲି ସିବିଆଇର ସ୍ବତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦେଇଥିବା ତିନି ବର୍ଷର ଜେଲ୍ ଦଣ୍ଡାଦେଶକୁ ଆଜି ଦିଲ୍ଲୀ ହାଇକୋର୍ଟ ସସପେଣ୍ଡ୍‌ କରିଛନ୍ତି। ଆଜି ଶ୍ରୀ ରାୟ ସିଆର୍‌ପିସିର ଧାରା ୩୮୯ରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ। ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କେଟ୍‌ଙ୍କ ଜଣିକିଆ ବେଞ୍ଚ୍‌ରେ ଏହାର ଶୁଣାଣି ହୋଇଥିଲା। ଆଉ ପ୍ରଥମ ଶୁଣାଣି‌ରେ ହିଁ ଦିଲ୍ଲୀପ ରାୟଙ୍କ ତିନି ବର୍ଷର ଦଣ୍ଡାଦେଶ ଉପରେ ବିଚାରପତି ରୋକ୍‌ ଲଗାଇଥିଲେ।

୧୯୯୯ର କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତକାଲି ଦିଲ୍ଲୀପଙ୍କୁ ୩ ବର୍ଷ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ। ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ। ତେବେ ଏହି ଦଣ୍ଡାଦେଶ ଶୁଣାଇବା ପରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ନଭେମ୍ବର ୨୫ ପୂର୍ବରୁ ହାଇକୋର୍ଟରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଏହି ରାୟ ବିରୋଧରେ ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତ ଅକ୍ଟୋବର ୬ ତାରିଖରେ ଦିଲ୍ଲୀପ ରାୟ, କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଆଇପିସିର ଦଫା ୧୨୦(ଖ), ୪୨୦ ଓ ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର