ଆନ୍ଦୋଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍

ନୂଆଦିଲ୍ଲୀ: ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ। କଙ୍ଗନାଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ଟୁଇଟର ଯୁଦ୍ଧ। ତେବେ ଏମଧ୍ୟରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଦିଲଜିତ୍ ଦୋସାଞ୍ଜ। କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି, ‌ହେଲେ ଏ ବିଷୟରେ ସେ ପ୍ରଚାର ନକରି ଚୁପଚାପ ଏଭଳି କରିଥିବା ଜଣା ପଡ଼ିଛି। ପଞ୍ଜାବୀ କଣ୍ଠଶିଳ୍ପୀ ସିଙ୍ଗା ଏ ନେଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି।

ଭିଡିଓ ସେୟାର କରି ସିଙ୍ଗା ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ, ଆପଣ କୃଷକମାନଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦେଇଛନ୍ତି, ଏବଂ କେହି ଏ ବିଷୟରେ ଜାଣି ନାହିଁ | ଆପଣ ଏଭଳି ମହାନ କାମ କରି ମଧ୍ୟ କାହାକୁ ଜଣାଇ ନାହାନ୍ତି। ଆଜିକାଲି ଲୋକମାନେ ୧୦ଟଙ୍କା ଦାନ କରି ମଧ୍ୟ ଚୁପ ହୋଇ ବସି ପାରନ୍ତି ନାହିଁ। ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତି।

ସୂଚନା ମୁତାବକ, ଆଜକୁ ୧୧ଦିନ ହେଲାଣି କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଧାରଣାରେ ବସିଛନ୍ତି। ଅନେକ ଥର କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନଗୁଡ଼ିକ ଆଲୋଚନା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରିପାରିନାହିଁ।

ସମ୍ବନ୍ଧିତ ଖବର