ଚାଷୀ ଆନ୍ଦେଳନ ବେଳେ ୬୫ ବର୍ଷୀୟ ବୃଦ୍ଧ ମୃତ

ନୂଆଦିଲ୍ଳୀ: ଚାଷୀ ଆନ୍ଦେଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଏମଏସପି ବୃଦ୍ଧି ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଦିଲ୍ଳୀର ଶମ୍ଭୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୃଷକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

ମିଳିଥିବା ସୂଚନା ମୁତାବକ, ୬୫ ବର୍ଷୀୟ ଜ୍ଞାନ ସିଂ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଶମ୍ଭୁ ସୀମାରେ ପହଞ୍ଚିଥିଲେ । ଗୁରୁବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରୁ ମୃତଦେହକୁ ଧାରଣାସ୍ଥଳକୁ ଅଣାଯିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଚାଷୀଙ୍କର ଆଲୋଚନା ହୋଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ତେବେ ରବିବାର ପର୍ଯ୍ୟନ୍ତ କଷକ ମାନେ ଶମ୍ଭୁ ସୀମାରେ ଡେରା ପକାଇ ରହିବେ । କାରଣ ରବିବାର ଚଣ୍ଡିଗଡରେ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ରହିଛି । ଏହାପୂର୍ବରୁ କୃଷକ ଆନ୍ଦୋଳନର ପ୍ରଥମ ଦ୍ବିତୀୟ ଦିନରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଚାଷୀ । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର