ନୂଆଦିଲ୍ଲୀ: କୁହାଯାଏ ଅଭାବ ହିଁ ଉଦ୍ଭାବନର ଉତ୍ସ । ହେଲେ ଏଠି ଅଭାବ ନାହିଁ ସତ କିନ୍ତୁ ଅସହାୟତାର ଆୟତନ ଅସୀମ । ଆଖି ତଳେ ଅଦେଖା ଯନ୍ତ୍ରଣାର ଦାଗ ଅନେକ । ଗୋଟେ ପଟେ ଜନ୍ମଭୂମିରେ ଜଳପ୍ରଳୟ । ଅନ୍ୟପଟେ ପ୍ରତିପକ୍ଷଙ୍କୁ ହରାଇ ଜିତିବାର ଜିଦ୍ । ଏପଟେ ପାଣିର ପାଟି ଭିତରେ ପଶିଛି ପୂରା ପଞ୍ଜାବ । ବନ୍ୟାର ବିକଟାଳ ଆଁରୁ ବର୍ତ୍ତିପାରିନି ବି ଅମୃତସର । ଆଉ ସେପଟେ ଦେଶ ପାଇଁ ଖେଳି ଭାରତ ମାତାକୁ ବିଜୟର ଭେଟି ଦେବାକୁ ପ୍ରତିଜ୍ଞା, ପଣ ଓ ଶପଥ । ପ୍ରତି ମୁହୂର୍ତ୍ତରେ ପଞ୍ଜାବ ବନ୍ୟାର ଖବର ଆଖି ସାମ୍ନାକୁ ଚାଲି ଆସୁଛି । ଟିଭି ଖୋଲିଲେ ପଞ୍ଜାବ ବନ୍ୟାର ଖବର, ସୋସିଆଲ ମିଡିଆରେ ବି ପଞ୍ଜାବ ପାଇଁ ପ୍ରାର୍ଥନାର ପୋଷ୍ଟ…
ଓଃ ଯେତେବେଳେ ନିଜ ଜନ୍ମମାଟିରେ ପ୍ରକୃତି ପ୍ରଳୟ ରଚିଛି ଆଉ ବନ୍ୟାରେ ପଞ୍ଜାବ ପ୍ରଭାବିତ ହୋଇଛି ସେତେବେଳେ ମନକୁ ବୁଝାଇବା ଭାରି ମୁସ୍କିଲ । ଘର କଥା ଯେତେ ମନେପଡିଲେ ବି, ବନ୍ୟାର ତାଣ୍ଡବ ଦେଖି ଯେତେ ଅସ୍ଥିର ହେଲେ ବି ମନକୁ କିନ୍ତୁ ବୁଝାଇ ରଖିବାକୁ ପଡିବ । କାରଣ ସିଏ ବି ଜଣେ ଯୋଦ୍ଧା । ସେନାବାହିନୀର ଯୋଦ୍ଧା ନହୋଇ ପାରନ୍ତି ସତ ମାତ୍ର ଖେଳ ଖେଳି, ଅନ୍ୟ ଦେଶ ସହ ଲଢି ଦେଶକୁ ବିଜୟର ସ୍ବାଦ ଚଖାଉଥିବା ଜଣେ ଭିନ୍ନ ଯୋଦ୍ଧା । ସେଇଥିପାଇଁ ତ ୮ ବର୍ଷର ସ୍ବପ୍ନକୁ ସାକାର କରିବାକୁ, ଦେଶକୁ ପୁଣି ଥରେ ଗର୍ବିତ କରିବାକୁ ଖାଲି ପଞ୍ଜାବର ପୁଅ ଭାବେ ନୁହେଁ ଦେଶର ପୁଅ ଭାବେ ସେ ନିଜକୁ ବୁଝାଇ ଖେଳିଲେ ଆଉ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ପୂରା ଦେଶକୁ ବିଜୟ ଆଣିଦେଲେ । ପଞ୍ଜାବର ବନ୍ୟା ବିପତ୍ତି ଭିତରେ ହକି ଖେଳି ଦେଶର ହୃଦୟ ଜିଣିଗଲେ ଦିଲପ୍ରୀତଙ୍କ ସମେତ ଅନ୍ୟ ପଞ୍ଜାବୀ ହକି ଖେଳାଳି ।
ତେବେ ୮ ବର୍ଷ ପରେ ଏହି ବିରାଟ ବିଜୟକୁ ପଞ୍ଜାବର ଖେଳାଳିମାନେ ପଞ୍ଜାବର ବନ୍ୟା ପ୍ରଭାବିତଙ୍କୁ ସମର୍ପଣ କରିଥିବା ବେଳେ ଜଳ ପ୍ରଳୟରେ ଲୋକଙ୍କୁ ଉଦ୍ଧାର କରୁଥିବା ସମସ୍ତ ସାହସୀ ଯବାନ, ସ୍ବେଚ୍ଛାସେବୀଙ୍କୁ ସମର୍ପଣ କରିଛନ୍ତି । ତେବେ ଏହି ବିଜୟ ପୂରା ପଞ୍ଜାବର ବିଜୟ ବୋଲି ଖେଳାଳିମାନେ କହିଛନ୍ତି ।
#WATCH | Punjab | Members of the Indian Men's Hockey Team arrive at the Sri Guru Ram Dass Jee International Airport, Amritsar, after lifting the Hockey Asia Cup 2025 winner's trophy in Bihar's Rahgir yesterday. India beat the defending champion South Korea 4-1 in the final to… pic.twitter.com/GOXb4W6vcU
— ANI (@ANI) September 8, 2025
ସେପଟେ ଗତକାଲି ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍ ହୋଇଥିବା ବେଳେ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଆଉ ବିରାଟ ବିଜୟ ପରେ ଅମୃତସରରେ ଦିଲପ୍ରୀତ ସିଂହଙ୍କ ପରିବାର ଖୁସି ମନାଇଛି । ପୁଅ ୨ଟି ଗୋଲ ଦେଇ ଦେଶକୁ ବିଜୟର ସ୍ବାଦ ଚଖାଇଥିବାରୁ ସେ ଭାରି ଖୁସି ବୋଲି କହିଥିଲେ ଦିଲପ୍ରୀତଙ୍କ ମାଆ ।
#WATCH | Amritsar, Punjab: On India beat South Korea 4-1 in the final of Hockey Asia Cup 2025, Sukhwant Kaur, mother of Dilpreet Singh, says, "I am happy that my son has scored two goals and made the country proud..." https://t.co/LITqnKcVHWpic.twitter.com/jvF5NniQbI
— ANI (@ANI) September 7, 2025
ତେବେ ୮ ବର୍ଷ ପରେ ଏସିଆ କପ୍ ହାତେଇଲା ଭାରତ । ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିହାରରେ ପ୍ରଥମଥର ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆରମ୍ଭରୁ ଟାଇଟଲ୍ ଦାବିଦାର କୁହାଯାଉଥିଲା । ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିୟନ୍ ହୋଇଛି । ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ । ଏହା ସହିତ, ଭାରତ ୨୦୧୩ ଫାଇନାଲର ପରାଜୟର ପ୍ରତିଶୋଧ ନେଇଛି, ଯେତେବେଳେ ଦକ୍ଷିଣ କୋରିଆ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ଜିତିଛି ।
ଦମ୍ ଦେଖାଇଲେ ଓଡ଼ିଆ ଖେଳାଳି
ଏସିଆ କପ୍ ବିଜୟରେ ଏଥର ଓଡ଼ିଆ ଖେଳାଳିଙ୍କ ସ୍ପର୍ଶ ବି ରହିଥିଲା । ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍ ଅମିତ ରୋହିଦାସ ଏହି ଦଳର ଅଂଶବିଶେଷ ଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ବି ଫାଇନାଲ୍ର ଅତିଥି ଥିଲେ। ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍ ପଦକ ଜିତିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।