ପଦ୍ମ ବିଭୂଷଣ ନୁହେଁ, ମୁଲାୟମଙ୍କୁ ଭାରତ ରତ୍ନ ମିଳୁ: ବୋହୂ ଡିମ୍ପଲ୍ ଯାଦବ

ଲଖନଉ: ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା । ଚଳିତ ବର୍ଷ ୧୦୬ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ୬ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂହ ଯାଦବ ରହିଛନ୍ତି | ତେବେ ଏହାକୁ ନେଇ ଏବେ ସପା ବା ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି |

ସପା ପକ୍ଷରୁ କୁହାଯାଇଛି ଯେ ମୁଲାୟମ ଯେଭଳି କାର୍ଯ୍ୟ କରିଛନ୍ତି ତାଙ୍କୁ ଭାରତ ରତ୍ନ ମିଳିବାର ଆବଶ୍ୟକତା ରହିଛି | ଆଜି ମେନପୁରୀର ସମାଜବାଦୀ ପାର୍ଟି ସାଂସଦ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୂଷଣ ଦିଆଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଡିମ୍ପଲ୍ ଯାଦବ କହିଛନ୍ତି ଯେ “ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ନେତାଜୀଙ୍କୁ ଭାରତ ରତ୍ନ ଦିଅନ୍ତୁ।

ନେତାଜୀ ଦେଶର କୃଷକ, ଯବାନ ଏବଂ ବେକାରିଙ୍କ ପାଇଁ ସର୍ବଦା କାମ କରିଆସିଛନ୍ତି, ତେଣୁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ଦିଆଯିବା ଉଚିତ୍। ସେହିପରି ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ମୁଲାୟମ ସିଂଙ୍କୁ ପଦ୍ମ ବିଭୂଷଣ ଦିଆଯାଇ ତାଙ୍କୁ ଅପମାନିତ କରାଯାଇଛି | ମୁଲାୟମ ସିଂ ଭାରତ ରତ୍ନ ପାଇଁ ଯୋଗ୍ୟ ଥିଲେ। ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ମହାନ ଥିଲା ।

ସମ୍ବନ୍ଧିତ ଖବର