ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ମୈନ୍‌ପୁରୀ ଆସନରୁ ଉପନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ୍‌ ଯାଦବ

ନୂଆଦିଲ୍ଲୀ: ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ମୈନପୁରୀ ସଂସଦୀୟ ଆସନରୁ ଡିମ୍ପଲ୍‌ ଯାଦବ ପ୍ରାର୍ଥୀ ହେବେ ବୋଲି ଆଜି ‘ସମାଜବାଦୀ ପାର୍ଟି’ ଘୋଷଣା କରିଛି।

‘ସମାଜବାଦୀ ପାର୍ଟି’ର ସଂସ୍ଥାପକ ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ଡିମ୍ପଲ୍‌ ଯାଦବ ହେଉଛନ୍ତି ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ମୁଲାୟମ୍‌ ସିଂହ ଯାଦବଙ୍କ ବୋହୂ।

ଆଜି ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଟୁଇଟ୍‌ କରି ‘ସମାଜବାଦୀ ପାର୍ଟି’ ଲେଖିଛି: ମୈନ୍‌ପୁରୀ ଉପନିର୍ବାଚନ ନିମନ୍ତେ ଦଳ ଡିମ୍ପଲ୍‌ ଯାଦବଙ୍କୁ ଦଳର ପ୍ରାର୍ଥିନୀ ଘୋଷଣା କରୁଛି।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗତମାସରେ ମୃତ୍ୟୁବରଣ କରିଥିବା ଦଳର ସଂସ୍ଥାପକ ମୁଲାୟମ୍‌ ସିଂହ ଯାଦବ ୧୯୯୬ରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ଆହୁରି ତିନିଥର (୨୦୦୪, ୨୦୦୯ ଓ ୨୦୧୯) ସଫଳତାର ସହ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ଏହି ଆସନରେ ତେଜ ପ୍ରତାପ ଯାଦବ ଅଥବା ଧର୍ମେନ୍ଦ୍ର ଯାଦବଙ୍କୁ ଠିଆ କରାଇବା ନିମନ୍ତେ ଆଗରୁ ବିଚାର କରାଯାଉଥିଲା। କିନ୍ତୁ, ଆଜି ଉକ୍ତ ଆସନ ନିମନ୍ତେ ଡିମ୍ପଲ୍‌ ଯାଦବଙ୍କ ନାମ ଅନୁମୋଦନ କରାଯାଇଛି।

ସେହିପରି, ମୈନ୍‌ପୁରୀ ଆସନ ନିମନ୍ତେ ‘ସୁହେଲ୍‌ଦେବ ଭାରତୀୟ ସମାଜପାର୍ଟି’ ରମାକାନ୍ତ କଶ୍ୟପଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବ‌େଳେ ‘ବିଜେପି’ ଏପର୍ଯ୍ୟନ୍ତ କାହାରି ନାମ ଘୋ‌ଷଣା କରିନାହିଁ।

ସମ୍ବନ୍ଧିତ ଖବର