ନୂଆଦିଲ୍ଲୀ: ଫୁଟବଲ ଦୁନିଆରୁ ଆସିଲା ଏକ ଦୁଃଖଦ ଖବର। ଦୁର୍ଘଟଣାରେ ପ୍ରାଣ ହରାଇଲେ ଲୋକପ୍ରିୟ ଫୁଟବଲ ଖେଳାଳି ଡିଓଗୋ ଜୋଟା। ପର୍ତ୍ତୁଗୀଜ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲିଭରପୁଲ୍ ଫରୱାର୍ଡ ଖେଳାଳି ଡିଓଗୋ ଜୋଟାଙ୍କ ସ୍ପେନରେ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଜୋଟାଙ୍କ ଜନ୍ମ ୪ ଡିସେମ୍ବର ୧୯୯୬ରେ ପର୍ତ୍ତୁଗାଲର ପୋର୍ଟୋ ସିଟିରେ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। କୁହାଯାଉଛି ଯେ, ଏହି କାର୍ ଦୁର୍ଘଟଣାରେ ତାଙ୍କ ଭାଇ ଆନ୍ଦ୍ରେ ସିଲଭା ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସିଲଭାଙ୍କୁ ମୃତ୍ୟୁବେଳକୁ ୨୬ ବର୍ଷ ବୟସ ହୋଇଥିଲା। ସେ ମଧ୍ୟ ଜୋଟାଙ୍କ ପରି ଜଣେ ଫୁଟବଲ୍ ଖେଳାଳି ଥିଲେ।

Advertisment

ଏହି ହୃଦୟବିଦାରକ ଘଟଣାଟି ସ୍ପେନର ଜମୋରା ପ୍ରଦେଶର ଏ-୫୨ ରାସ୍ତାରେ ଘଟିଥିଲା। ତାଙ୍କ ମୃତ୍ୟୁର ମାତ୍ର ୧୦ଦିନ ପୂର୍ବରୁ ଜୋଟା ତାଙ୍କର ଦୀର୍ଘକାଳୀନ ପ୍ରେମିକା ରୁଟେ କାର୍ଡୋସୋଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ତିନୋଟି ସନ୍ତାନ ଅଛନ୍ତି।

ତାଙ୍କର ଏଭଳି ଅକାଳ ବିୟୋଗ ପରେ ଫୁଟବଲ ଜଗତର ବଡ଼ ବଡ଼ ତାରକା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଜୋଟା ସେପ୍ଟେମ୍ବର ୨୦୨୦ରେ ୱଲଭରହାମ୍ପଟନ ୱାଣ୍ଡରର୍ସ ଛାଡି ୪୦ମିଲିୟନ ପାଉଣ୍ଡରୁ ଅଧିକ ମୂଲ୍ୟ ପାଇ ଲିଭରପୁଲ ସହିତ ଯୋଡି ହୋଇଥିଲେ। ଏହି ସମୟ ମଧ୍ୟରେ, ସେ ୨୦୨୧-୨୨ରେ ଏଫଏ କପ୍ ଏବଂ ଲିଗ୍ କପ୍ ଜିତିବାରେ ସଫଳ ହୋଇଥିଲେ।