ସଂଧ୍ୟାସୁଦ୍ଧା ତାମିଲନାଡ଼ୁ ଉପକୂଳ ଛୁଇଁବ ଅବପାତ, ଓଡ଼ିଶାରେ ହୋଇପାରେ ସାମାନ୍ୟ ବର୍ଷା

ଚେନ୍ନାଇ ଏୟାରପୋର୍ଟରେ ବିମାନ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଆଡ଼କୁ ଗତି କରୁଛି । ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆଜି ସଂଧ୍ୟା ସୁଦ୍ଧା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ବନ୍ୟାସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡିଆରଏଫ ଦଳ ଓ ୭ଟି ଏସଡିଆରଏଫ ଦଳ ମୁତୟନ କରାଯାଇଛି ।

ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ତାମିଲନାଡ଼ୁର ନୁଙ୍ଗମବକମରେ ସର୍ବାଧିକ ୧୫୭ ମିଲିଲିଟର ବର୍ଷା ହୋଇଥିବାବେଳେ ମୀନାମ୍ବକମରେ ୧୪୪ ମିଲିଲିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତାମିଲନାଡ଼ୁରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ କ୍ରିଷ୍ଣା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଜି ସଂଧ୍ୟାରେ ଏହି ଡିପ୍ରେସନ ଲାଣ୍ଡଫଲ କରିବାର ସମ୍ଭାବନା ରହିଥିବାରୁ ଚେନ୍ନାଇ ଏୟାରପୋର୍ଟରେ ବିମାନ ଚଳାଚଳକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ଚେନ୍ନାଇକୁ ଆସିବାକୁ ଥିବା ଓ ଏଠାରୁ ଯିବାକୁ ଥିବା ବିମାନଗୁଡ଼ିକୁ ଅନ୍ୟତ୍ର ପଠାଇଦିଆଯାଇଛି ।

ଏପଟେ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି ।

ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ସେପଟେ ଆଣ୍ଡାମାନ ସାଗରରେ ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସମ୍ବନ୍ଧିତ ଖବର