ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏବଂ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବାଗ୍‌ଯୁଦ୍ଧ ହୋଇଛି। ତେବେ ୨୦୨୦ ପର୍ଯ୍ୟନ୍ତ କଂଗ୍ରେସରେ ଥିବା ସିନ୍ଧିଆ ଦଳ ସହ ବିଶ୍ୱାସଘାତକତା କରିବେ ବୋଲି ସେ ଆଶା କରିନଥିଲେ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି। ସେପଟେ ବିକାଶ ଦିଗରେ ଦିଗ୍‌ବିଜୟ ସରକାର ଅବହେଳା କରୁଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି।

Advertisment

ଦିଗ୍‌ବିଜୟ ସିଂହ କହିଛନ୍ତି, ସିନ୍ଧିଆ ପରିବାରର ମହାରାଜା କଂଗ୍ରେସ ଦଳ ସହ ବିଶ୍ୱାସଘାତକତା କରିବେ ବୋଲି ଆଶା କରାଯାଉନଥିଲା। ମହାରାଜା (ମାଧବରାଓ ସିନ୍ଧିଆ)ଙ୍କୁ ଇନ୍ଦିରା ଏବଂ ରାଜୀବ ଗାନ୍ଧି ମନ୍ତ୍ରୀ କରିଥିଲେ ଏବଂ ସେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ। କଂଗ୍ରେସ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦୁଇଥର ମନ୍ତ୍ରୀ କରିଥିଲେ ମଧ୍ୟ ସେ ଦଳ ଛାଡିଛନ୍ତି ବୋଲି ସିଂହ କହିଛନ୍ତି।

ସିନ୍ଧିଆ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି, ମଧ୍ୟପ୍ରଦେଶରେ ଦିଗ୍‌ବିଜୟ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟରେ କୌଣସି ବିକାଶ ଆଣିବାରେ ବିଫଳ ହୋଇଥିଲା। ୨୦୦୩ ପୂର୍ବରୁ ମଧ୍ୟପ୍ରଦେଶରେ ‘ଲା ପତା ସରକାର’ ଥିଲା। ନା ରାସ୍ତା ଥିଲା ନା ବିଜୁଳି, ନା ଲୋକଙ୍କ ପାଖରେ ପାଣି ପହଞ୍ଚୁଥିଲା ବୋଲି ରାଇସେନରେ ଏକ ନିର୍ବାଚନୀ ରାଲିରେ ବିଜେପି ନେତା କହିଛନ୍ତି। ରାଜ୍ୟରେ କଂଗ୍ରେସ ଅନେକ ଯୋଜନାକୁ ବନ୍ଦ କରିଦେଇଥିଲା ବୋଲି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଅଭିଯୋଗ କରିଛନ୍ତି। କଂଗ୍ରେସ ୫୧ଟି ଯୋଜନାକୁ ବନ୍ଦ କରିଦେଇଥିଲା। ଏଭଳି କଂଗ୍ରେସ ସରକାର ଆସିବାକୁ ଦେବେ କି ବୋଲି ସେ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଦିଗ୍‌ବିଜୟ ସିଂହଙ୍କ ସରକାର ସମୟରେ ସିନ୍ଧିଆ କଂଗ୍ରେସ ସହ ଥିଲେ। କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ଶାସନ ସମୟରେ ସେ ୨୦୨୦ ମାର୍ଚ୍ଚରେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ।