ଟଲିଉଡ୍ରେ #ମି ଠୁ ଝଡ଼! ବଙ୍ଗୀୟ ଅଭିନେତ୍ରୀ ଆଣିଲେ ନିର୍ମାତା, ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ୍ ଯୌନ ନିର୍ଯାତନାର ଅଭିଯୋଗ
କୋଲକାତା: ବଲିଉଡ୍ ପରେ ଏବେ #ମି ଠୁକୁ ନେଇ ଝଡ଼ ସୃଷ୍ଟି ହୋଇଛି ଟଲିଉଡ୍ରେ। ଆଗଧାଡ଼ିର ବଙ୍ଗୀୟ ଟେଲିଭିଜନ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ରୂପଞ୍ଜନା ମିତ୍ର ଆଜି ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ନିର୍ମାତା ଅରିନ୍ଦମ ସିଲ୍ଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଏକ ସଙ୍ଗୀନ୍ ଅଭିଯୋଗ ଆରୋପ କରିବା ପରେ ଟଲିଉଡ୍ରେ ଆରମ୍ଭ ହୋଇଛି ଏହି ଝଡ଼।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମବଙ୍ଗର ଏକ ପ୍ରମୁଖ ଗଣମାଧ୍ୟମ ‘ଆନନ୍ଦ ବଜାର ଡିଜିଟାଲ’କୁ ଏକ ସାକ୍ଷାତକାର ଦେବା ଅବସରରେ ଅଭିନେତ୍ରୀ ରୂପଞ୍ଜନା ଏହି ଲଜ୍ଜାଜନକ ଘଟଣାର ଖୁଲାସା କରିଛନ୍ତି। ଅଭିନେତ୍ରୀ ରୂପଞ୍ଜନା ଅଭିଯୋଗ କରି କହିଛନ୍ତି, ‘ନିର୍ମିତ ହେବାକୁ ଥିବା ଏକ ଟେଲି ଧାରାବାହିକ ‘ଭୂମିକନ୍ୟା’ର ସ୍କ୍ରିପ୍ଟକୁ ପଢ଼ିବା ପାଇଁ ନିର୍ମାତା, ନିର୍ଦ୍ଦେଶକ ଅରିନ୍ଦମ୍ ସିଲ୍ ମୋତେ ତାଙ୍କ କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଡକାଇଥିଲେ। ମୁଁ ଯେତେବେଳେ ଅପରାହ୍ଣ ୫ଟା ବେଳେ ଯାଇ ତାଙ୍କ ଅଫିସ୍ରେ ପହଞ୍ଚିଲି ସେତେବେଳେ ସେଠାରେ ତାଙ୍କ ବ୍ୟତୀତ ଆଉ ଅନ୍ୟ କେହି ହେଲେ ନଥିଲେ। ମେତେ ଟିକିଏ ଅଖାଡ଼ୁଆ ଲାଗିଲା। ମୁଁ ପଳାଇ ଆସିବାକୁ ବାହାରିଥିବା ବେଳେ ସେ ମୋତେ ଦେଖିନେଇ ତାଙ୍କ ଚେୟାରରୁ ଉଠି ଆସିଲେ ଓ ମୋତେ ତାଙ୍କ ଚାମ୍ବର ଭିତରକୁ ଡାକିନେଲେ। ଚାମ୍ବର ଭିତରେ ସେ ପ୍ରଥମେ ମୁଣ୍ଡରେ ହାତ ମାରିବା ସହ ପରବର୍ତ୍ତୀ ସମୟରେ ମୋ ଶରୀରର ଅନ୍ୟ ସମ୍ବେଦନଶୀଳ ସ୍ଥାନମାନଙ୍କରେ ହସ୍ତଚାଳନା କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ତେବେ, ମୁଁ ଏହାର ଦୃଢ଼ ପ୍ରତିବାଦ କରିବାରୁ ସେ ମୋ ଠାରୁ ଦୂରେଇ ଯାଇ ସ୍କ୍ରିପ୍ଟ ବାବଦରେ କଥା ହେବାକୁ ଆରମ୍ଭ କରିଦେଲେ। କିନ୍ତୁ, ତାଙ୍କ ହାବଭାବ ମୋତେ ଭଲ ଲାଗୁ ନ ଥିଲା। ଦୁଷ୍କର୍ମର ଶିକାର ହୋଇଯିବାର ଭୟ ମୋତେ ଘାରୁଥିଲା। ସେଥିପାଇଁ ମୁଁ ସେଠାରୁ ଛାଟିପିଟି ହୋଇ ପଳାଇ ଆସିଲି’, ବୋଲି କହିଛନ୍ତି ରୂପଞ୍ଜନା।
ତେବେ, ରୂପଞ୍ଜନାଙ୍କ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅରିନ୍ଦମ୍ ସିଲ୍। ସେ କହିଛନ୍ତି, ‘ରୂପଞ୍ଜନା ମୋର ଜଣେ ପୁରୁଣା ବନ୍ଧୁ। ଏ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଆଧାରହୀନ। କେଉଁ ଉଦ୍ଦେଶ୍ୟରେ ଓ କି ଅଭିସନ୍ଧି ରଖି ସେ ଏ ପ୍ରକାରର ଅଭିଯୋଗ ମୋ ବିରୋଧରେ ଆଣୁଛନ୍ତି, ତାହା ମୁଁ ବୁଝି ପାରୁନାହିଁ।’