କାଗଜପତ୍ରରେ ୩ଟି କମ୍ପାନିର ନିର୍ଦ୍ଦେଶକ ଥିବା ବ୍ୟକ୍ତି ପ୍ରକୃତରେ ଅର୍ପିତାଙ୍କ ଡ୍ରାଇଭର

କୋଲକାତା : କୋଲକାତାର ଜଣେ ବ୍ୟକ୍ତିଙ୍କ ନାମ ହେଉଛି କଲ୍ୟାଣ ଧର । ସରକାରୀ କାଗଜପତ୍ର ଅନୁସାରେ ସେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ତିନୋଟି କମ୍ପାନିର ନିର୍ଦ୍ଦେଶକ ।  ଏଣୁ ସ୍ବାଭାବିକ ଭାବେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି କୁହାଯାଇପାରିବ । କିନ୍ତୁ ସତ ତାହା ନୁହେଁ । ତାଙ୍କର ପ୍ରକୃତ ପରିଚୟ ହେଉଛି ସେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ମୁଖାର୍ଜୀଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଡ୍ରାଇଭର ।  ତାଙ୍କ ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ । ଏପରିକି ତାଙ୍କର ନିଜର ଏକ ବାଇକ ମଧ୍ୟ ନାହିଁ । ପ୍ରତି ମାସରେ ତାଙ୍କୁ ଅର୍ପିତା ଦରମା ଦେଉନଥିଲେ । ଏଣୁ ତାଙ୍କ ପାରିବାରିକ ସ୍ଥିତି ଏବେ ଦୟନୀୟ ସ୍ଥିତିରେ ।

କିନ୍ତୁ ତାଙ୍କ ନାମକୁ ବ୍ୟବହାର କରି କୋଟି କୋଟି ଟଙ୍କାର ବ୍ୟବସାୟ ଚଳାଇଥିଲେ ଅର୍ପିତା ମୁଖାର୍ଜୀ । ଅର୍ପିତା ଖୋଲିଥିବା ତିନୋଟି କମ୍ପାନି ସିମ୍ବୋସିସ ମର୍ଚାଣ୍ଟ୍ସ, ସେଣ୍ଟ୍ରି ଇଂଜିନିୟରିଂ ଓ ଅର୍ପିତା ଇଚ୍ଛେ ଏଣ୍ଟରଟେନମେଣ୍ଟରେ ଉଭୟ ଅର୍ପିତା ଓ କଲ୍ୟାଣ ନିର୍ଦ୍ଦେଶକ ଥିଲେ । ନିଜେ ତିନୋଟି କମ୍ପାନିର ନିର୍ଦ୍ଦେଶକ ଥିବା ଖୋଦ କଲ୍ୟାଣ ବି ଜାଣିନଥିଲେ ।

ପାର୍ଥ ଓ ଅର୍ପିତାଙ୍କ ଏପରି ଦୁର୍ନୀତିର ଚେର ଦେଖି ଖୋଦ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ଚକିତ ହୋଇଯାଇଛି । ଉଭୟ ନିଜର କଳାଧନକୁ ଲୁଚାଇବାକୁ  ଏହିପରି ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରୁଥିଲେ ।

ସମ୍ବନ୍ଧିତ ଖବର